ପର୍ଯ୍ୟଟନ ସ୍ଥଳକୁ ପ୍ଲାଷ୍ଟିକମୁକ୍ତ ପାଇଁ ପ୍ରଶାସନର ପ୍ରୟାସ

ପାରଳାଖେମୁଣ୍ଡି,୨୨।୧୧ (ଗିରିଧାରୀ ପରିଛା): ଗଜପତି ଜିଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ପ୍ଲାଷ୍ଟିକମୁକ୍ତ କରିବା ପାଇଁପ ପ୍ରଶାସନ ପ୍ରୟାସ ଆରମ୍ଭ କରିଛି। ବର୍ତ୍ତମାନ ପିକନିକ ଋତୁ ଆରମ୍ଭ ହୋଇଥିବା ବେଳେ ଜିଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ରାୟଗଡ ବ୍ଲକର ଗଣ୍ଡାହାତି ଜଳପ୍ରପାତ ଓ ଗୁଦଗୁଦା ଜଳପ୍ରପାତ ଓ ମହେନ୍ଦ୍ରଗିରି ପର୍ବତ, ଆର.ଉଦୟଗିରି ବ୍ଲକର ମାଙ୍କଡଡିଆ ଓ ମୋହନ ବ୍ଲକରେ ରହିଛି ଏସିଆର ବୃହତ୍ତମ ବୌଦ୍ଧ ମନ୍ଦିର ଏବଂ ପାରଳାଖେମୁଣ୍ଡି ସହର ନିକଟରେ ମହାନ୍ଦ୍ରତନୟା ନଦୀ କୂଳରେ ବିଏନ ପ୍ୟାଲେସ। ଏହି ସବୁ ପର୍ଯ୍ୟଟନ ସ୍ଥଳର ସୌନ୍ଦର୍ଯ୍ୟ, ଶାନ୍ତ ପରିବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଓ ପରିବେଶକୁ ସ୍ବଛ ଓ ନିର୍ମଳ ରଖିବା ପାଇଁ ଏବେ ଏହିସବୁ ସ୍ଥାନରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ଉପରେ କଟକଣା ଲଗାଇଛି ଜିଲା ପ୍ରଶାସନ । ପ୍ରଦୂଷଣ ବୋର୍ଡ ୧୪(୧) ଅନୁଯାୟୀ ଏହି ସବୁ ପର୍ଯ୍ୟଟନ ସ୍ଥଳର କୌଣସି ଦୋକାନୀ, ବ୍ୟବସାୟିକ ପ୍ରତିଷ୍ଠାନ ଗ୍ରାହକଙ୍କୁ ନିଜ ବ୍ୟବସାୟିକ ଜିନିଷ ପତ୍ର ପଲିଥିନ କିମ୍ବା ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲାଗିଛି । ଯଦି କୌଣସି ଦୋକାନୀ ଏହାର ଖିଲାପ କରନ୍ତି ତେବେ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହୃତ ଜିନିଷକୁ ଜବତ କରାଯିବା ସହ ପ୍ରଥମ ଥର ପାଇଁ ୨୦୦୦ ଟଙ୍କା, ଦ୍ୱିତୀୟ ଥର ପାଇଁ ୫୦୦୦ ଟଙ୍କା ଓ ତୃତୀୟ ଥର ପାଇଁ ୧୦୦୦୦ଟଙ୍କା ଜରିମାନା କରାଯିବ। ସେହିପରି ପଲିଥିନ ଓ ପ୍ଲାଷ୍ଟିକ ପୋଡ଼ା ପାଇଁ ପରିବେଶ ପ୍ରଦୂଷଣ ନିୟମ ଅନୁଯାୟୀ ସଂପୃକ୍ତ ବ୍ୟକ୍ତିଙ୍କ ଉପରେ ୫୦୦୦ ଟଙ୍କା ରୁ ୨୫୦୦୦ ଟଙ୍କା ଜରିମାନା କରିବା ସହ ବାରମ୍ବାର ଖିଲାପକାରୀଙ୍କୁ ଜରିମାନା କରାଯିବ। ପ୍ଲାଷ୍ଟିକ ନଷ୍ଟ ପରିଚାଳନା ପାଇଁ ସଂପୃକ୍ତ ପୌରସଂସ୍ଥା ଓ ଗ୍ରାମ ପଞ୍ଚାୟତ ଜରିମାନା ଆଦାୟ କରାଯିବ ବୋଲି ମଙ୍ଗଳବାର ଏକ ନିର୍ଦ୍ଦେଶ ନାମା ପ୍ରଶଶସନ ଜାରି କରିବା ସହ ଏହାର ତଦାରଖ ପାଇଁ ସ୍ଥାନୀୟ ତହସିଲଦାରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଥାନା ଅଧିକାରୀ, ବନ ବିଭାଗ ଅଧିକାରୀ ଓ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରିବା ସହ ଲୋକ ଓ ପର୍ଯ୍ୟଟକମାନଙ୍କୁ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ସଚେତନ କରାଇବା ସହ ଆର୍ଥିକ ଜରିମାନା ଓ ପ୍ଲାଷ୍ଟିକ ପରିଚାଳନା ନିୟମ ୨୦୧୬ ସମନ୍ଧରେ ବୁଝାଇବେ। ସଂପୃକ୍ତ କମିଟି ସପ୍ତାହରେ ଥରେ ଏହି ସବୁ ପିକନିକ ଓ ପର୍ଯ୍ୟଟନ ସ୍ଥଳ ଭ୍ରମଣ କରି ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ଜିଲାପାଳ ସ୍ମୃତିରଞ୍ଜନ
ପ୍ରଧାନ ସୂଚନା ଦେଇଛନ୍ତି।