ଇଂଲଣ୍ଡର ବିଜୟକୁ ନେଇ ଟୁଇଟ୍‌ କରି ଫସିଲେ ଅଦ୍‌ନାନ: ପାକିସ୍ତାନ କ୍ରିକେଟ ପ୍ରଶଂସକଙ୍କ ଟ୍ରୋଲିଂ ପରେ ନେଲେ ଏହି ବଡ଼ ନିଷ୍ପତ୍ତି

ବମ୍ବେ: ବିଶ୍ୱକପ୍‌ ଫାଇନାଲରେ ଇଂଲଣ୍ଡର ବିଜୟକୁ ନେଇ ଏକ ଟୁଇଟ୍‌ କରି ଫସିଛନ୍ତି ଜଣାଶୁଣା ଗାୟକ ତଥା ମ୍ୟୁଜିକ୍‌ କମ୍ପୋଜର ଅଦନାନ ସାମି। ଏହାକୁ ନେଇ ତାଙ୍କୁ ପାକିସ୍ତାନୀ ପ୍ରଶଂସକ ପୁଣିଥରେ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ଗାୟକ ଏହାକୁ ନେଇ ଖପ୍ପା ହେବା ସହ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି। ସେ ଟୁଇଟରରେ ଏକ ଲମ୍ବା ନୋଟ୍‌ ଲେଖିଛନ୍ତି। ଦୀର୍ଘଦିନ ଧରି ତାଙ୍କ ସହ କେଉଁଭଳି ବ୍ୟବହାର କରାଯାଇଛି, ଯାହା ତାଙ୍କର ପାକିସ୍ତାନ ଛାଡ଼ିବାର କାରଣ ପାଲଟିଥିଲା, ସବୁକିଛିର ସେ ଖୁଲାସା କରିବେ ବୋଲି ଅଦନାନ କହିଛନ୍ତି।

ବିଶ୍ୱକପ୍‌ ଫାଇନାଲରେ ପାକିସ୍ତାନ ପରାଜୟକୁ ନେଇ ଅଦନାନ ଟୁଇଟ୍‌ କରି କହିଥିଲେ ‘ଭଲ ଟିମ୍‌ ଜିତିଲା । ଇଂଲଣ୍ଡକୁ ଶୁଭେଚ୍ଛା।’ ଏଥିସହ ସେ ବପ୍ପି ଲେହେରୀଙ୍କ ଏକ ଗୀତ ‘ମେରେ ତୋ ଲଗ୍‌ ଗଏ..’ର କ୍ଲିପ୍‌ ଶେୟାର କରିଥିଲେ। ଏହାକୁ ନେଇ ପାକିସ୍ତାନୀ କ୍ରିକେଟ ପ୍ରଶଂସକ ତାଙ୍କୁ ଟାର୍ଗେଟ କରିଥିଲେ। ଅଦନାନ ତାଙ୍କର ବିଶ୍ୱାସନୀୟତା ପ୍ରମାଣ ଦେବାକୁ ଚେଷ୍ଟା କରୁଥିବା କହିଥିଲେ।

ଏଭଳି କଥାର ଜବାବ ଦେଇ ଅଦନାନ କହିଥିଲେ, ଆମର ବିଶ୍ୱାସନୀୟତା କେବଳ ଗୋଟିଏ ଦେଶ ପାଇଁ-ଭାରତ। ଅନ୍ୟପକ୍ଷରେ ଆପଣ ଦ୍ୱନ୍ଦ୍ୱରେ ଅଛନ୍ତି। ବିଶ୍ୱାସନୀୟତା ପାଇଁ? କେତେବେଳେ ଆର୍ମି ପାଇଁ? କେବେ ଆମେରିକା ପାଇଁ? କେବେ ଚାଇନା ପାଇଁ? କେବେ ସାଉଦ ଆରବ ପାଇଁ? ଆପଣଙ୍କର ଆଗାମୀ ପୀଢ଼ି ସତରେ ଦ୍ୱନ୍ଦ୍ୱରେ ପଡ଼ିବେ।

ଏଭଳି ଜବାବ ଦେଖି ପାକିସ୍ତାନୀ ପ୍ରଶଂସକ ପୁଣିଥରେ ଟ୍ରୋଲ କରିଥିଲେ। ସୋମବାର ସକାଳେ ଅଦନାନ ଆଉ ଏକ ଟୁଇଟ୍‌ କରି କହିଛନ୍ତି, ବହୁତ ଲୋକ ଭାବନ୍ତି ମୁଁ କାହିଁକି ପାକିସ୍ତାନକୁ ଏତେ ଘୃଣା କରେ। ସତ ଏହା ଯେ ପାକିସ୍ତାନର ଜନସାଧାରଣଙ୍କୁ ମୁଁ ଘୃଣା କରେ ନାହିଁ। ସେମାନେ ସବୁବେଳେ ଭଲ ବ୍ୟବହାର କରିଛନ୍ତି। ହେଲେ କିଛି ସଂସ୍ଥା ସହ ମୋର ଅସୁବିଧା ରହିଛି। ଯେଉଁମାନେ ମୋତେ ବ୍ୟକ୍ତିଗତ ଭାବେ ଜାଣନ୍ତି ସେମାନେ ମୋର ପାକିସ୍ତାନ ଛାଡ଼ିବାର କାରଣ ଜାଣନ୍ତି। ଦିନେ, ଖୁବ୍‌ଶୀଘ୍ୟ ମୁଁ ସେସବୁ ସତର ଖୁଲାସା କରିବି। ବହୁତ ବର୍ଷ ଧରି ଚୁପ୍‌ ରହିଛି, ହେଲେ ଦୁନିଆକୁ ଏନେଇ କହିବାକୁ ସଠିକ ସମୟ ଚୟନ କରିବି ବୋଲି ସେ ଜବାବ ଦେଇଛନ୍ତି।

Share