Categories: ଜାତୀୟ

ପ୍ରାପ୍ତ ବୟସ୍କା ମୁସଲମାନ୍‌ ଯୁବତୀ ନିଜ ପସନ୍ଦର ବିବାହ କରିପାରିବେ, ହାଇକୋର୍ଟଙ୍କ ରାୟ…

ଚଣ୍ଡିଗଡ଼, ୨୬।୧୨: ପ୍ରାପ୍ତ ବୟସ୍କା ମୁସଲମାନ୍‌ ଯୁବତୀ ନିଜ ପସନ୍ଦର ବିବାହ କରିପାରିବେ। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଜଣେ ମୁସଲମାନ ଯୁବତୀଙ୍କର ସୁରକ୍ଷା ଆବେଦନକୁ ଗ୍ରହଣ କରି ଏଭଳି କହିଛନ୍ତି। ୧୭ ବର୍ଷ ବୟସ୍କା ଯୁବତୀ ଜଣକ ତାଙ୍କ ପରିବାର ବିରୁଦ୍ଧରେ ଯାଇ ନିଜ ପସନ୍ଦର ଜଣେ ହିନ୍ଦୁ ଯୁବକଙ୍କୁ ବିବାହ କରିଛନ୍ତି। ତେଣୁ ସୁରକ୍ଷା ପାଇଁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି।

ଅଦାଲତ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଜଣେ ପ୍ରାପ୍ତ ବୟସ୍କା ମୁସଲମାନ ଯୁବତୀ ନିଜ ପସନ୍ଦର ପୁଅକୁ ବିବାହ କରିପାରିବ ଏବଂ ଏଥିରେ ପିତାମାତାଙ୍କର ଅବା ପରିବାର ସଦସ୍ୟଙ୍କର ହସ୍ତକ୍ଷେପ କରିବାର କୌଣସି ଅଧିକାର ନାହିଁ। ପ୍ରାପ୍ତ ବୟସ୍କା ହୋଇଥିବାରୁ ତାଙ୍କ ଜୀବନର ନିଷ୍ପତ୍ତି ସେ ନିଜେ ଗ୍ରହଣ କରିପାରିବେ।

ଟାଇମ୍ସ ଅଫ ଇଣ୍ଡିଆର ଖବର ଅନୁଯାୟୀ ବିଚାରପତି ହରନରେଶ ସିଂ ଗିଲଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ମୁସଲମାନ ଯୁବତୀଙ୍କର ବିବାହ ମୁସଲିମ୍‌ ପର୍ସନାଲ ଲ‘ ଅନୁସାରେ କରାଯାଇଥାଏ। ସାର୍‌ ଦିନଶାହା ଫରୁଦନଜୀ ମୁଲ୍ଲାଙ୍କ ପୁସ୍ତକ ’ପ୍ରିନ୍ସିପୁଲ୍ସ୍‌ ଅଫ ମହମ୍ମଡାନ ଲ’ର ଧାରା ୧୯୫ ଅନୁଯାୟୀ, ଆବେଦନକାରୀ ପ୍ରାପ୍ତ ବୟସ୍କା ଯୁବତୀ ନିଜ ପସନ୍ଦର ବ୍ୟକ୍ତିଙ୍କୁ ବିବାହ କରିବାରେ ସକ୍ଷମ।

ଅପରପକ୍ଷରେ ସେ ବିବାହ କରିଥିବା ହିନ୍ଦୁ ଯୁବକଙ୍କ ବୟସ ୩୩ ବର୍ଷ। ସେ ମଧ୍ୟ ପ୍ରାପ୍ତ ବୟସ୍କ। ତେଣୁ ମୁସଲିମ୍‌ ପର୍ସନାଲ ଲ‘ ଅନୁସାରେ ଦୁଇଜଣ ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ବିବାହ କରିବାରେ କୌଣସି ପ୍ରତିବନ୍ଧକ ନାହିଁ।

ଖଣ୍ଡପୀଠ କହିଛନ୍ତି ଯେ ଆବେଦନକାରୀମାନେ ସେମାନଙ୍କ ପରିବାର ସଦସ୍ୟଙ୍କ ଇଚ୍ଛା ବିରୁଦ୍ଧରେ ବିବାହ କରିବା ଅପରାଧ ନୁହେଁ। ତେଣୁ ସେମାନଙ୍କୁ ସମ୍ବିଧାନରେ ଧାର୍ଯ୍ୟ କରାଯାଇଥିବା ମୌଳିକ ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ। କାରଣ ପ୍ରାପ୍ତ ବୟସ୍କର ସମୟ ସୀମା ୧୫ ବର୍ଷ ରହିଛି ବୋଲି ଖଣ୍ଡପୀଠ କହିଛନ୍ତି।

Share