କୋଲକାତା,୨୩।୧୨: ସାବାଳକମାନେ ଧର୍ମପରିବର୍ତ୍ତନ କରିବା ସହିତ ନିଜ ପସନ୍ଦର ଜୀବନସାଥୀ ଚୟନ କରିପାରିବେ। ଏନେଇ ତାଙ୍କୁ କେହି ବାଧା ଦେଇପାରିବେ ନାହିଁ। କୋଲକାତା ହାଇକୋର୍ଟଙ୍କ ପକ୍ଷରୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦିଆଯାଇଛି। ବିଚାରପତି ସଞ୍ଜିବ ବାନାର୍ଜୀ ଏବଂ ଅରଜିତ୍ ବାନାର୍ଜୀଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରି ଏହି ରାୟ ଦେଇଛନ୍ତି। ପଶ୍ଚିମବଙ୍ଗ ନଦିଆ ଜିଲାର ଦୁର୍ଗାପୁର ଗାଁରେ ଜଣେ ଯୁବତୀ କାହାକୁ କିଛି ନ କହି ଘରୁ ପଳାଇଥିଲେ। ଘରେ ବହୁ ଖୋଜା ଖୋଜି କରିଥିଲେ। ତେବେ ଦୁଇଦିନ ପରେ ସେ ଜଣେ ମୁସଲମାନ୍ ଯୁବକଙ୍କୁ ବିବାହ କରିବା ସହିତ ନିଜର ନାମ ପରିବର୍ତ୍ତନ କରିଥିବା ଘରଲୋକେ ଜାଣିପାରିଥିଲେ। ତାଙ୍କ ଝିଅଙ୍କ ଉପରେ ଚାପ ପକାଇ ଏଭଳି କରାଯାଇଥିବା ଘର ଲୋକେ କୋର୍ଟରେ ଅଭିଯୋଗ କରିଥିଲେ। ତେବେ ଏହାର ବିଚାର କରି ହାଇକୋର୍ଟ କହିଛନ୍ତି ଯେ, ସାବାଳକ ଧର୍ମପରିବର୍ତ୍ତନ ଏବଂ ନିଜ ପସନ୍ଦର ଜୀବନସାଥୀ ଚୟନ କରିବା ଲାଗି ସ୍ବତନ୍ତ୍ର। ଏଥିରେ କେହି ପ୍ରତିବନ୍ଧକ ସାଜି ପାରିବେ ନାହିଁ।