ନୂଆଦିଲ୍ଲୀ,୧୮।୧ : ପାରିବାରିକ ପେନସନ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଶୀର୍ଷକୋର୍ଟ କହିଛନ୍ତି ଯେ ଯଦି ଜଣେ ସରକାରୀ କର୍ମଚାରୀ ଥିବା ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ କୌଣସି ପୋଷ୍ୟ ସନ୍ତାନ ଗ୍ରହଣ କରନ୍ତି ତେବେ ସେହି ଶିଶୁ ପାରିବାରିକ ପେନସନ ପାଇବେ ନାହିଁ।
ସର୍ବୋଚ୍ଚ ଅଦାଲତ ସୂଚାଇ ଦେଇଛନ୍ତି ଯେ ହିନ୍ଦୁ ପୋଷ୍ୟ ସନ୍ତାନ ଗ୍ରହଣ ଏବଂ ରକ୍ଷଣାବେକ୍ଷଣ ଅଧିନିୟମ, ୧୯୫୬ର ଧାରା ୮ ଏବଂ ୧୨ ଜଣେ ହିନ୍ଦୁ ମହିଳାଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଅନୁମତି ଦେଇଥାଏ। ୟକୋର୍ଟ କହିଛନ୍ତି ଯେ ଆଇନର ବ୍ୟବସ୍ଥା ଅନୁଯାୟୀ ଜଣେ ବିବାହିତ ହିନ୍ଦୁ ମହିଳା ତାଙ୍କ ସ୍ବାମୀଙ୍କ ସହମତି ବିନା ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ ନାହିଁ।]
ଜଷ୍ଟିସ କେଏମ ଜୋସେଫ ଏବଂ ଜଷ୍ଟିସ ବି.ଭି ନାଗରତ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ୩୦ ନଭେମ୍ବର, ୨୦୧୫ ରେ ବମ୍ବେ ହାଇକୋର୍ଟଙ୍କ ଆଦେଶକୁ କାଏମ ରଖିଛନ୍ତି। ହାଇକୋର୍ଟ ତାଙ୍କ ଆଦେଶରେ କହିଥିଲେ ଯେ କେନ୍ଦ୍ରୀୟ ସିଭିଲ ସର୍ଭିସେସ (ପେନସନ) ନିୟମ ୫୪ (୧୪) (ଖ) ଏବଂ ୧୯୭୨ ର ସିସିଏସ (ପେନସନ) ନିୟମ ଅନୁଯାୟୀ ଏକ ପୋଷ୍ୟ ସନ୍ତାନ ପାରିବାରିକ ପେନସନ ପାଇବାକୁ ଯୋଗ୍ୟ ହେବେ ନାହିଁ। ପାରିବାରିକ ପେନସନ ସୁବିଧା କେବଳ ପୁଅ ଏବଂ ଝିଅମାନଙ୍କ ମଧ୍ୟରେ ସୀମିତ ଅଟେ ଯାହା ତାଙ୍କ ଜୀବନ କାଳରେ ସରକାରୀ କର୍ମଚାରୀଙ୍କ ଦ୍ୱାରା ଆଇନଗତ ଭାବରେ ଗ୍ରହଣ କରାଯାଇଥିବ।
୧୯୯୩ ମସିହାରେ ଶ୍ରୀଧର ଚିମୁରକର ଅବସର ନେଇଥିଲେ। ୧୯୯୪ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ତାଙ୍କ ପତ୍ନୀ ମାୟା ମୋଟଘରେଙ୍କୁ ଛାଡି ଚାଲିଗଲେ, ଉଭୟଙ୍କର କୌଣସି ସନ୍ତାନ ନ ଥିଲେ। ମାୟା ପ୍ରାୟ ଦୁଇ ବର୍ଷ ପରେ ଶ୍ରୀ ରାମ ଶ୍ରୀଧର ଚିମୁରକରଙ୍କୁ ତାଙ୍କ ପୋଷ୍ୟ ପୁତ୍ର ଭାବରେ ଗ୍ରହଣ କରିଥିଲେ। ଉଭୟ ଶ୍ରୀଧର ଚିମୁରକରଙ୍କ ଘରେ ରହୁଥିଲେ।
ଏହା ପରେ, ଏପ୍ରିଲ ୧୯୯୮ ରେ, ମାୟା ଚନ୍ଦ୍ର ପ୍ରକାଶଙ୍କୁ ବିବାହ କରିଥିଲେ। ଚନ୍ଦ୍ରଙ୍କର ସ୍ତ୍ରୀଙ୍କର ମୃତ୍ୟୁ ଘଟି ସାରିଥିଲା। ମାୟା ଚନ୍ଦ୍ରଙ୍କ ସହ ନୂଆଦିଲ୍ଲୀର ଜନକପୁରୀରେ ରହିବାକୁ ଲାଗିଲେ।
ଏହା ପରେ ଶ୍ରୀ ରାମ ଶ୍ରୀଧର ଚିମୁରକର ଏକ ଚିଠି ଲେଖି ମୃତ ସରକାରୀ କର୍ମଚାରୀ ଶ୍ରୀଧର ଚିମୁରକରଙ୍କ ପରିବାରକୁ ପେନସନ ପ୍ରଦାନ କରିବାକୁ ଦାବି କରିଥିଲେ। ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଯୋଗୁ ହାଇକୋର୍ଟ ଆବେଦନକାରୀଙ୍କ ଦାବିକୁ ଖାରଜ କରିଥିଲେ।