Feet of new born Baby in Hands of parents
ପାରଳାଖେମୁଣ୍ଡି,୩ା୨(ଡି.ଏନ୍.ଏ.): ଗଜପତି ଜିଲା ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୩୪ ଏବଂ ୩୫ତମ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ତାମିଲନାଡ଼ୁ ଓ କର୍ନାଟକର ୨ ଦମ୍ପତି ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ଗୁରୁବାର ଜିଲାପାଳ ଲିଙ୍ଗରାଜ ପଣ୍ଡା ଶିଶୁଦ୍ୱୟଙ୍କୁ ସେମାନଙ୍କୁ ହସ୍ତାନ୍ତର କରିଛନ୍ତି। ସୂଚନାଯୋଗ୍ୟ, ଏହି ଦୁଇ ଶିଶୁ କନ୍ୟାଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗର ମେଦିନିପୁର ଜିଲାରୁ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ତାଙ୍କ ମା’ ଲାଳନପାଳନ କରି ନ ପାରି କେନ୍ଦ୍ରକୁ ଛାଡି ଦେଇଥିଲେ। ଦୁଇ ଶିଶୁକନ୍ୟାଙ୍କ ଯତ୍ନ ଓ ସୁରକ୍ଷା ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର, ପାରଳାଖେମୁଣ୍ଡିରେ ରଖାଯିବା ସହ ସେମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ ପାଇଁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟାଲରେ ଅପଲୋଡ଼ କରାଯାଇଥିଲା। ପରେ ଦୁଇ ଶିଶୁଙ୍କୁ ଶିଶୁ ମଙ୍ଗଳ ସମିତି, ଆଇନତଃ ମୁକ୍ତ ଭାବେ ଘୋଷଣା କରିଥିଲେ। ଯାହାଦ୍ବାରା ଶିଶୁମାନେ ପୋଷ୍ୟ ଭାବେ ଯେକୌଣସି ଦମ୍ପତିିଙ୍କ ପାଖକୁ ଯାଇପାରିବ, ତାହା ପୋର୍ଟାଲ ମାଧ୍ୟମରେ ଜଣାଇ ଦିଆଯାଇଥିଲା।