ମେଲବୋର୍ନ,୧।୧୨: ମହିଳା ସାଂସଦ ଏବଂ କର୍ମଚାରୀଙ୍କ ପ୍ରତି ଯୌନ ଉତ୍ପୀଡ଼ନର ଏକ ସମ୍ବେଦନଶୀଳ ମାମଲା ଅଷ୍ଟ୍ରେଲିଆ ସଂସଦରେ ସାମ୍ନାକୁ ଆସିଛି। ପ୍ରତି ତିନିଜଣ ମହିଳା କର୍ମଚାରୀଙ୍କ ମଧ୍ୟରୁ ଜଣେ ଯୌନ ଉତ୍ପୀଡ଼ନର ଶିକାର ହେଉଥିବା ପ୍ରକାଶିତ ଏକ ସରକାରୀ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅଷ୍ଟ୍ରେଲୀୟ ମାନବ ଅଧିକାର ଆୟୋଗର ରିପୋର୍ଟ ଅନୁଯାୟୀ, ସଂସଦ ଭିତରେ ପ୍ରାୟ ୬୩ ମହିଳା ସାଂସଦ ଏବଂ ଅନ୍ୟ କର୍ମଚାରୀ ଯୌନ ଉତ୍ପୀଡ଼ନର ଶିକାର ହୋଇଛନ୍ତି। ମଙ୍ଗଳବାର ସଂସଦରେ ଦିଆଯାଇଥିବା ରିପୋର୍ଟର ଜବାବରେ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଏହାକୁ ଭୟଙ୍କର ବୋଲି କହିଛନ୍ତି।
ମୋରିସନ କହିଛନ୍ତି, ’ଏହି ବିଲ୍ଡିଂରେ କାମ କରୁଥିବା ଅନ୍ୟମାନଙ୍କ ପରି ମୁଁ ମଧ୍ୟ ଏହି ପରିସଂଖ୍ୟାନ ନେଇ ଭୟଭୀତ ଓ ବିବ୍ରତ। ସେ ରିପୋର୍ଟକୁ ନେଇ କହିଛନ୍ତି ଯେ, ଏନେଇଈ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି। ରିପୋର୍ଟରେ ୩୩ ଭିନ୍ନ ଭିନ୍ନ ସଂଗଠନର ୧୭୨୩ ଜଣ କହିଛନ୍ତି ଯେ, ସଂସଦ ଭିତରେ ୩୩ ପ୍ରତିିଶତ ମହିଳା ସାଂସଦ ଏବଂ କର୍ମଚାରୀ ନିଜ ଜୀବନ କାଳ ମଧ୍ୟରେ ଥରେ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। ସେହିପରି ୫୧ ପ୍ରତିଶତ ମହିଳା ସାଂସଦ ଏବଂ କର୍ମଚାରୀ ନିର୍ଯାତନା କିମ୍ବା ବଳାତ୍କାର ଉଦ୍ୟମର ଶିକାର ହୋଇଛନ୍ତି।
ରିପୋର୍ଟରେ କେତେକ ମହିଳା ସାଂସଦ ଏବଂ କର୍ମଚାରୀ ସର୍ଭେ ସମୟରେ ନିଜ ନିଜର ଯନ୍ତ୍ରଣା ବ୍ୟକ୍ତ କରିଥିବା ଉଲ୍ଲେଖ କରାଯାଇଛି। ଚଳିତ ବର୍ଷ ଆରମ୍ଭରେ ଅଷ୍ଟ୍ରେଲୀୟ ସଂସଦର ପୂର୍ବତନ କର୍ମଚାରୀ ବ୍ରିଟାନି ହିଙ୍ଗିସ୍ ଅଭିଯୋଗ କରିଛନ୍ତି ଯେ ଜଣେ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତାଙ୍କ ସହକର୍ମୀ ତାଙ୍କୁ ବଳାତ୍କାର କରିଛନ୍ତି। ବାରମ୍ବାର ମନା କରିବା ସତ୍ତ୍ୱେ ଅଭିଯୁକ୍ତ ତାଙ୍କୁ ବନ୍ଧକ ରଖି ବଳାତ୍କାର କରିଥିଲେ।
ପୀଡିତା ଏହା ଉପରେ ଗଠନ କରାଯାଇଥିବା ଆୟୋଗରେ ଅଭିଯୋଗ କରିଛନ୍ତି। ହିଙ୍ଗିସଙ୍କ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ବହୁ ମହିଳା ସାଂସଦ ଏବଂ କର୍ମଚାରୀ ସେମାନଙ୍କ ସହ ଯୌନ ଶୋଷଣ ଏବଂ ଅସଦାଚରଣ ହୋଇଥିବା ସୂଚନା ପ୍ରଦାନ କରିଛନ୍ତି।