Categories: ଜାତୀୟ

ଆଡଭାନୀଙ୍କୁ ଭେଟିଲେ ଶାହା: ୩୦ମିନିଟ୍‌ ଧରି ଚାଲିଲା ଆଲୋଚନା

ନୂଆଦିଲ୍ଲୀ,୨୨।୭: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ବୁଧବାର ତାଙ୍କ ବାସଭବନରେ ଭେଟିଛନ୍ତି। ଏହି ସମୟରେ ଦୁହିଁଙ୍କ ମଧ୍ୟରେ ରାମ ମନ୍ଦିର ଭୂମିପୂଜା କାର୍ଯ୍ୟକ୍ରମ ଓ ବାବ୍ରି ମସ୍‌ଜିଦ୍‌ ଭାଙ୍ଗିବା ଘଟଣାକୁ ନେଇ ଆଲୋଚନା ହୋଇଥିବା କୁହାଯାଉଛି। ଏହି ସାକ୍ଷାତକାର ପ୍ରାୟ ୩୦ ମିନିଟ୍‌ର ରହିଥିଲା। ଏହି ସମୟରେ ଭାଜପା ବରିଷ୍ଠ ନେତା ଭୂପେନ୍ଦ୍ର ଯାଦବ ମଧ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମଲଲାଙ୍କ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପ୍ରାୟ ୧୫୦ ଲୋକ ସାମିଲ ହେବେ। ତେବେ ଏହି ମନ୍ଦିର ନିର୍ମାଣ ପାଇଁ ଲାଲକୃଷ୍ଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସେ ସୋମନାଥରୁ ଅଯୋଧ୍ୟା ପର୍ଯ୍ୟନ୍ତ ଏକ ରଥ ଯାତ୍ରା ବାହାର କରିଥିଲେ। ସେହିପରି ୧୯୯୨ ଡିସେମ୍ବର ୬ରେ ବାବ୍ରି ମସ୍‌ଜିଦ୍‌ ଭାଙ୍ଗିବା ଘଟଣାରେ ଆଡଭାନୀ, ମୁରଲୀ ମନୋହର ଜୋଶୀ, ଉମା ଭାରତୀ ଓ କଲ୍ୟାଣ ସିଂହଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ତେବେ ଆସନ୍ତା ୨୪ରେ ବାବ୍ରି ମସ୍‌ଜିଦ୍‌ ଭାଙ୍ଗିବା ଘଟଣାରେ ଆଡଭାନୀ ହାଜର ହେବେ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସିବିଆଇର ସ୍ବତନ୍ତ୍ର କୋର୍ଟରେ ସେ ହାଜର ହେବେ। ଏହି ସମୟରେ ତାଙ୍କର ବୟାନ ରେକର୍ଡ କରାଯିବ ବୋଲି ଜଣାପଡ଼ିଛି।

Share