ଆଖି ଧରିଲେ ସ୍କୁଲ ନ ଯିବାକୁ ପରାମର୍ଶ

ଭୁବନେଶ୍ୱର,୧୧।୭(ଅଭିଜିତ ଦାସ):ବର୍ଷା ଆରମ୍ଭରୁ ଡେଙ୍ଗୁ ଭଳି ଆଖିଧରା ରୋଗ ଆଉ ଏକ ଚିନ୍ତା ଆଣିଛି। ସ୍ବାସ୍ଥ୍ୟ ବିଭାଗର ଆକଳନ ଅନୁଯାୟୀ ପ୍ରତି ୧୦ଜଣଙ୍କ ମଧ୍ୟରୁ ୩ରୁ ୪ଜଣ ଆଖିଧରା ରୋଗରେ ସଂକ୍ରମିତ ହେଉଛନ୍ତି। ବିଶେଷକରି ପିଲା ଓ ବୟସ୍କଙ୍କୁ ଅଧିକ ଆକ୍ରାନ୍ତ କରୁଛି। ଏବେ ସ୍କୁଲ୍‌ଗୁଡିକରେ ଆଖିଧରା ଅଧିକ ବ୍ୟାପୁଥିବାରୁ ଓ ଛାତ୍ରୀଛାତ୍ର ପ୍ରଭାବିତ ହେଉଥିବାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଥିବାବେଳେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କେତେକ ପରାମର୍ଶ ଦିଆଯାଇଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଯେଉଁ ବ୍ୟକ୍ତିମାନେ ଆଖିଧରା ରୋଗରେ ସଂକ୍ରମିତ ହୋଇଛନ୍ତି ସେମାନେ ଘରେ ଅନ୍ୟମାନଙ୍କଠାରୁ ଦୂରରେ ରୁହନ୍ତୁ। ଛାତ୍ରୀଛାତ୍ରଙ୍କ ଆଖି ଧରିଲେ ସେମାନେ ସ୍କୁଲ୍‌ ଯାଆନ୍ତୁ ନାହିଁ। ଆଖିଧରା ଛାତ୍ରୀଛାତ୍ର ୩ରୁ ୪ଦିନ ସ୍କୁଲ ବଦଳରେ ଘରେ ରହିବା ସହ ହାତ ଓ ଆଖିକୁ ଭଲ ଭାବରେ ପରିଷ୍କାର ରଖନ୍ତୁ। ଯେହେତୁ ଏହା ଏକ ଋତୁକାଳୀନ ଓ ସଂକ୍ରମଣ ରୋଗ, ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ ବୋଲି ମିଶ୍ର କହିଛନ୍ତି।

ମାର୍ଗଦର୍ଶିକା ଜାରିକଲା ସ୍ବାସ୍ଥ୍ୟ ବିଭାଗ

ଆଖି ଧରିବା ସମୟରେ ନିଜ ଚଷମାକୁ ପ୍ରତ୍ୟେକ ଦିନ ନିୟମିତ ଭାବରେ ସଫା କରନ୍ତୁ। ସୁଇମିଂ ପୁଲ୍‌, ପୋଖରୀ ଆଦିରେ ମୁହଁ ବୁଡାନ୍ତୁ ନାହିଁ ଓ ଏହାସହ ଆଖିଧରା ରୋଗରେ ଆକ୍ରାନ୍ତ ରହିଥିବା ବ୍ୟକ୍ତିଙ୍କ ରୁମାଲ, ତକିଆ କିମ୍ବା ନିତ୍ୟ ବ୍ୟବହାର ଆଇ-ଡ୍ରପ୍‌ ଭଳି ଅନ୍ୟାନ୍ୟ ଜିନିଷଗୁଡ଼ିକୁ ଅନ୍ୟ କେହି ବ୍ୟବହାର କରନ୍ତୁ ନାହିଁ। ଆଖି ଧରିଲେ ପରିଷ୍କାର କପଡାକୁ ଉଷୁମ ପାଣିରେ ପକାଇ ଆଖିକୁ ଭଲ ଭାବରେ ପୋଛିବା ସହ ଡାକ୍ତରଙ୍କ ବିନା ପରାମର୍ଶରେ ଆଖିରେ କୌଣସି ଔଷଧ ବ୍ୟବହାର କରନ୍ତୁ ନାହିଁ। ଅତି ଆବଶ୍ୟକ ହେଲେ ନିକଟସ୍ଥ ଡାକ୍ତରଖାନାକୁ ଯାଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Share