ଜୁଲାଇ ୩୧ ସୁଦ୍ଧା ଖରିଫ ଫସଲବୀମା କରାଇନେବାକୁ ପରାମର୍ଶ

ଭୁବନେଶ୍ୱର,୨୬।୭(ଅନିଲ ଦାସ): ରାଜ୍ୟର ଚାଷୀମାନଙ୍କ ହିତ ଦୃଷ୍ଟିରୁ ୨୦୨୩ ଖରିଫ ଋତୁରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀମାନଙ୍କୁ ଅନ୍ତର୍ଭୁକ୍ତ କରିବା କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ବିଭାଗୀୟ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖି ଫସଲବୀମା ଯୋଜନାରେ ଅଧିକରୁ ଅଧିକ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ କହିଛନ୍ତି। ଚଳିତ ଜୁଲାଇ ୩୧ ତାରିଖକୁ ଖରିଫ ଫସଲବୀମା ସମୟସୀମା ଭାବେ ଧାର୍ଯ୍ୟ କରାଯାଇଥିବା ବେଳେ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବା ପାଇଁ ଜିଲାପାଳଙ୍କୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ, ଚାଷୀମାନଙ୍କ ହିତ ଦୃଷ୍ଟିରୁ ଖରିଫ ୨୦୨୩ରୁ ରବି ୨୦୨୫ ମଧ୍ୟରେ ରାଜ୍ୟ ସରକାର ନିଜ ଭାଗରେ ପ୍ରିମିୟମ ବହନ କରିବା ସହିତ କୃଷକମାନଙ୍କ ପ୍ରିମିୟମ ଅଂଶ ମଧ୍ୟ ପ୍ରଦାନ କରିବେ। ରାଜ୍ୟ ସରକାରଙ୍କ ଏହି ସକାରାତ୍ମକ ପଦକ୍ଷେପ ଯୋଗୁ ଅଧିକ ଚାଷୀ ଫସଲ ବୀମାଭୁକ୍ତ ହେବ ବୋଲି ଆଶା କରାଯାଉଛି।

Share