Categories: ଜାତୀୟ

ବିଦେଶରେ ବିବାହ ଆୟୋଜନ ନ କରିବାକୁ ପରାମର୍ଶ

ନୂଆଦିଲ୍ଲୀ,୨୭ା୧୧: ବିଦେଶରେ ବିବାହ ଆୟୋଜନ କରିବା କେତେକ ଧନୀ ପରିବାର ପାଇଁ ଏକ ପ୍ରବୃତ୍ତିରେ ପରିଣତ ହୋଇଥିବାରୁ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିନ୍ତା ପ୍ରକଟ କରିଛନ୍ତି। ବିଦେଶରେ ବିବାହ ଆୟୋଜନ କରିବା କ’ଣ ଜରୁରୀ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଭାରତ ମାଟିରେ ବିବାହ ଉତ୍ସବ ଆୟୋଜନ କରିବାକୁ ସେ ଅନୁରୋଧ କରିଛନ୍ତି। ଏହାଦ୍ୱାରା ଦେଶର ଟଙ୍କା ବିଦେଶକୁ ଯିବ ନାହିଁ ବୋଲି ରବିବାର ପ୍ରଧାନମନ୍ତ୍ରୀ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ରେ କହିଛନ୍ତି। ସେହିପରି ବିବାହ ପାଇଁ ସାମଗ୍ରୀ କିଣିବା ସମୟରେ ସ୍ବଦେଶୀ ଉତ୍ପାଦ ଉପରେ ଗୁରୁତ୍ୱ ଦିଆଯିବା ଉଚିତ। ଆଗକୁ ବିବାହ ଋତୁ ଆସୁଥିବାବେଳେ ଏହି ସମୟରେ ପ୍ରାୟ ୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେବ ବୋଲି କେତେକ ବାଣିଜ୍ୟ ସଂଗଠନ ଆକଳନ କରିଛନ୍ତି। ଭୋକାଲ ଫର୍‌ ଲୋକାଲ ଅଭିଯାନ ବିକାଶର ଏକ ଗ୍ୟାରେଣ୍ଟି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶରେ ଡିଜିଟାଲ ପେମେଣ୍ଟ ଯଥେଷ୍ଟ ବଢ଼ିଛି। ଗୋଟିଏ ମାସ ଆଦୌ ନଗଦ ଅର୍ଥ ପୈଠ ନ କରି କେବଳ ଡିଜିଟାଲ ପେମେଣ୍ଟ କରନ୍ତୁ ଓ ସେହି ମାସର ଅଭିଜ୍ଞତାକୁ ମୋ ସହ ଶେୟାର କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି।
ଦେଶ ରବିବାର ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ୧୫ ବର୍ଷ ପୂର୍ତ୍ତି ପାଳନ କରୁଥିବାବେଳେ ପ୍ରଧାନମନ୍ତ୍ରୀ ସେଦିନର ସବୁଠୁ ଜଘନ୍ୟ ଆକ୍ରମଣର ଭୟାବହତାକୁ ମନେପକାଇଥିଲେ। ସେଦିନର ଆକ୍ରମଣ ମୁମ୍ବାଇ ସମେତ ସାରା ଦେଶକୁ ଦୋହଲାଇଦେଇଥିଲା। ତେବେ ଦେଶ ଏହାର ସାମର୍ଥ୍ୟ ବଳରେ ଉକ୍ତ ଆକ୍ରମଣର ମୁକାବିଲା କରିବା ସହ ଏବେ ଦୁଃସାହସର ସହ ଆତଙ୍କବାଦକୁ ନିପାତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share