ଢେଙ୍କାନାଳ ଅଫିସ,୨୯।୬: କରୋନାରେ ଆକ୍ରାନ୍ତ ଜଣେ ବ୍ୟାଙ୍କ କର୍ମଚାରୀ ଗତ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳ ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରିଥିବା ରବିବାର ଜଣାପଡିଛି। ଏହାକୁ ନେଇ ସହରବାସୀ ଆଶଙ୍କାରେ ଥିବାବେଳେ ଜିଲା ପ୍ରଶାସନ, ପୌରସଂସ୍ଥା ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। ଏଥିସହ ସହରର ବିଭିନ୍ନ ସ୍ଥାନରେ ସାନିଟାଇଜେଶନ ଜାରି ରହିଛି।
ଘଟଣାରୁ ଜଣାପଡିଛି, ସହରସ୍ଥିତ ବାଜିଚୌକ ଅଞ୍ଚଳର ସମ୍ପୃକ୍ତ ବ୍ୟକ୍ତି କଟକ ଜିଲାର ଏକ ବ୍ୟାଙ୍କରେ କାର୍ଯ୍ୟ କରନ୍ତି। ଦେହ ଖରାପ ହେବାରୁ ଗତ ୨୬ ତାରିଖରେ ତାଙ୍କର କଟକରେ ସ୍ବାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ଏହାପରେ ସେ ଢେଙ୍କାନାଳ ପଳାଇ ଆସିଥିଲେ। ଦୁଇଦିନ ଧରି ଢେଙ୍କାନାଳ ସହରର ଭାଗିରଥୀ ବିହାର, କୁଞ୍ଜକାନ୍ତ, ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କ କ୍ଲିନିକ୍, ବିଭିନ୍ନ ଔଷଧ ଦୋକାନ ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ରବିବାର ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ପୌରସଂସ୍ଥା ପକ୍ଷରୁ ଭାଗୀରଥି ବିହାର ଅଞ୍ଚଳ ଓ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଗ୍ନିଶମ ସେବାସଂସ୍ଥା ଦ୍ୱାରା ବିଶୋଧନ କରାଯାଇଛି। ଆକ୍ରାନ୍ତଙ୍କ ପରିବାର ସଦସ୍ୟ ଓ ମିଳାମିଶା କରିଥିବା କେତେଜଣ ବ୍ୟକ୍ତିଙ୍କୁ ପୌରସଂସ୍ଥା କ୍ୱାରାଣ୍ଟାଇନରେ ରଖାଯାଇଛି। ଏଥିସହ ସେ ଯାଇଥିବା ଘରୋଇ କ୍ଲିନିକ ଓ ପାଥୋଲାବକୁ ସାନିଟାଇଜେଶନ ପରେ ବନ୍ଦ କରିଦିଆଯାଇଛି। ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଜାତା ମିଶ୍ର କହିଛନ୍ତି, ଆକ୍ରାନ୍ତ ଜଣକ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ରବିବାର ସକାଳେ ଆସିଥିବାରୁ ଡାକ୍ତରଖାନା ସାନିଟାଇଜ କରାଯାଇଛି। ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ଡାକ୍ତର, ଟେକ୍ନିସିଆନ ଓ କର୍ମଚାରୀଙ୍କୁ କ୍ୱାରାଣ୍ଟାଇନକୁ ନିଆଯାଇଛି। ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ କଟକ ପଠାଯିବ। ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ କହିଛନ୍ତି, ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। କେତେକ ଅଞ୍ଚଳକୁ ବିଶୋଧନ କରାଯାଉଛି।