Categories: ଜାତୀୟ

ଏହି ସହରରେ ଶସ୍ତାରେ ପାଇବେ ଘର

ନୂଆଦିଲ୍ଲୀ,୩୦ା୬: ଦିଲ୍ଲୀ-ଏନ୍‌ସିଆରରେ ନିଜ ଘରର ସ୍ବପ୍ନ ଦେଖୁଥିବା ଲୋକଙ୍କ ପାଇଁ ଦୁଇଗୁଣ ଖୁସି ଖବର ଆସିଛି। ଦିଲ୍ଲୀ ବିକାଶ ପ୍ରାଧିକରଣ (ଡିଡିଏ) ଆଜି ଅର୍ଥାତ୍‌ ଜୁନ ୩୦ରୁ ‘ପ୍ରଥମେ ଆଓ, ପ୍ରଥମେ ପାଓ’ ଗୃହ ଯୋଜନା ଅଧୀନରେ ୫, ୫୪୦ ଫ୍ଲାଟର ବୁକିଂ ଆରମ୍ଭ କରୁଛି। ମଧ୍ୟାହ୍ନ ୧୨ ଟାରୁ ବୁକିଂ ଆରମ୍ଭ ହୋଇଛି। ଶୀଘ୍ର ଗ୍ରେଟର ନୋଏଡାରେ ଶସ୍ତା ଘର କିଣିବାର ସୁଯୋଗ ପାଇବେ। ଗ୍ରେଟର ନୋଏଡା ପ୍ରାଧିକରଣ ମଧ୍ୟ ଗୃହ ଯୋଜନା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। ଆସନ୍ତା ମାସ ଅର୍ଥାତ ଜୁଲାଇରୁ ଶସ୍ତା ଫ୍ଲାଟ୍‌ ପାଇଁ ବୁକିଂ କରିବାର ସମସ୍ତ ସମ୍ଭାବନା ରହିଛି।

ଗ୍ରେଟର ନୋଏଡା ଅଥରିଟିର ସିଇଓ ରିତୁ ମାହେଶ୍ୱରୀ ଜୁଲାଇ ପ୍ରଥମ ସପ୍ତାହରେ କର୍ତ୍ତୃପକ୍ଷ ଫ୍ଲାଟ୍‌ ଯୋଜନା ଆଣିବାକୁ ସମ୍ପତ୍ତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପ୍ରକଳ୍ପ ବିଭାଗ ଦ୍ୱାରା ଫ୍ଲାଟ୍‌ ଯାଞ୍ଚ ହେବା ପରେ ମଧ୍ୟ ଖୁବ୍‌ଶୀଘ୍ର ସମ୍ପତ୍ତି ବିଭାଗକୁ ଏକ ରିପୋର୍ଟ ଦେବାକୁ କୁହାଯାଇଛି। କର୍ତ୍ତୃପକ୍ଷଙ୍କ ଦ୍ୱାରା ହୋଇଥିବା ଜନଶୁଣାଣି ସମୟରେ ରିତୁ ମାହେଶ୍ୱରୀ ପ୍ରାଧିକରଣର ଫ୍ଲାଟ୍‌ ନିଲାମ ବିଷୟରେ ସୂଚନା ଦେଇଥିଲେ।

ଆଜିଠାରୁ ଦିଲ୍ଲୀ ବିକାଶ ପ୍ରାଧିକରଣ (ଡିଡିଏ)ର ଗୃହ ଯୋଜନାରେ ଫ୍ଲାଟ୍‌ ନେବା ପାଇଁ ଆବେଦନ କରାଯାଉଛି। ଜାସୋଲାରେ ୪୦ ହାଇ ଇନକମ ଗ୍ରୁପ (ଏଚ୍‌ଆଇଜି) ଫ୍ଲାଟ, ଦ୍ୱାରକା ଏବଂ ନରେଲାରେ ୨୦୦ ଫ୍ଲାଟ୍‌ ମିଡିଲ ଇନକମ୍‌ ଗ୍ରୁପ (ଏମ୍‌ଆଇଜି), ଲୋକନାୟକ ପୁରାମ, ରୋହିଣୀ, ସିରାସପୁର ଏବଂ ନରେଲାରେ ୪୪୦୦ ଫ୍ଲାଟ୍‌ ଲୋ ଇନକମ ଗ୍ରୁପ (ଏଲ୍‌ଆଇଜି) ପାଇଁ ପଞ୍ଜୀକରଣ ଆରମ୍ଭ ହେବ। ପଞ୍ଜୀକରଣ ଏବଂ ବୁକିଂ ଫି’ ୧୦ଜୁଲାଇ ପର୍ଯ୍ୟନ୍ତ କରାଯାଇପାରିବ। ତେବେ ବର୍ତ୍ତମାନ ସୁଦ୍ଧା ଫ୍ଲାଟ୍‌ର ଦାମ୍‌ ସମ୍ପର୍କରେ ସୂଚନା ଦିଆଯାଇନାହିଁ।

Share