Categories: ଖେଳ

ଶ୍ରୀଲଙ୍କା ପାଇଁ ସହଜ ହେବନି ଆଫଗାନ ଚ୍ୟାଲେଞ୍ଜ

ପୁଣେ,୩୦ା୧୦(ପି.ଟି.): ବିଶ୍ୱକପ୍‌ର ୧୯୯୬ ସଂସ୍କରଣ ଚାମ୍ପିୟନ ଶ୍ରୀଲଙ୍କା ଓ ଅଣ୍ଡର ଡଗ୍‌ ଆଫଗାନିସ୍ତାନ ସୋମବାର ପୁଣେରେ ପରସ୍ପର ମୁକାବିଲାରେ ଅବତୀର୍ଣ୍ଣ ହେବେ। ଉଭୟ ଦଳ ଦୁଇଟି ଲେଖାଏ ମ୍ୟାଚ୍‌ ବିଜୟୀ ହୋଇଥିବା ବେଳେ ପୁଣେରେ ଯେ କୌଣସି ଗୋଟିଏ ଦଳର ଆଗକୁ ବଢିବାର ରାସ୍ତା କ୍ଷିଣ ହେବ। ଉଭୟ ଦଳ ବିଜୟୀ ହୋଇ ଆଗକୁ ବଢିବାକୁ ପ୍ରୟାସ କରିବେ। ତେବେ ମ୍ୟାଚ୍‌ଟି ଶ୍ରୀଲଙ୍କା ପାଇଁ ସହଜ ହେବ ନାହିଁ। ଆଫଗାନିସ୍ତାନ ଚଳିତ ବିଶ୍ୱକପରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଓ ପାକିସ୍ତାନ ଭଳି ବଡ ଟିମ୍‌କୁ ପରାସ୍ତ କରି ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସରେ ରହିଛି। ଅନ୍ୟପକ୍ଷରେ ଶ୍ରୀଲଙ୍କା ଦଳ ଆହତ ସମସ୍ୟା ଦେଇ ଗତି କରୁଛି। କ୍ରମାଗତ ୩ ପରାଜୟ ପରେ ଗୋଟିଏ ମ୍ୟାଚ୍‌ ଜିତିଥିଲେ ମଧ୍ୟ ଦଳ ଆଫଗାନିସ୍ତାନକୁ ହାଲୁକା ଭାବରେ ନେବ ନାହିଁ। ଶୃଙ୍ଖଳିତ ବୋଲିଂ ଓ ଫିଲ୍ଡିଂ ପାଇଁ ଶ୍ରୀଲଙ୍କା ଏହାର ଶେଷ ମ୍ୟାଚ୍‌ ଜିତିଥିଲେ ମଧ୍ୟ ଷ୍ଟାର ଖେଳାଳି ଲାହିରୁ କୁମାରା ଆହତ ହୋଇ ଟିମ୍‌ରୁ ବାଦ ପଡିଛନ୍ତି। ଭେଟେରାନ୍‌ ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସଙ୍କ ପ୍ରତ୍ୟାବର୍ତ୍ତନରେ ଶ୍ରୀଲଙ୍କାର ବୋଲିଂ ଓ ମଧ୍ୟକ୍ରମ ବ୍ୟାଟିଂ ଦୃଢ ହେବାରେ ଲାଗିଛି। ତେବେ ଲାହିରୁ କୁମାରଙ୍କ ଅନୁପସ୍ଥିତିରେ ଦିଲଶାନ ମଦୁଶନକା ଓ କସୁନ ରଜିଥାଙ୍କୁ ଭଲ ବୋଲିଂ କରିବାକୁ ହେବ। ଅନ୍ୟପକ୍ଷରେ ଆଫଗାନିସ୍ତାନ ମଧ୍ୟ ଚମତ୍କାର ଫର୍ମରେ ରହିଛି। ଇଂଲଣ୍ଡ ଓ ପାକିସ୍ତାନ ବିପକ୍ଷରେ ଦଳ ଯେଉଁଭଳି ବିଜୟ ହାସଲ କଲା ତାହା ସମସ୍ତଙ୍କୁ ଅବାକ୍‌ କରି ଦେଇଛି। ଓପନର ରେହମାନୁଲ୍ଲା ଗୁରବାଜ ୨୨୪ ରନ୍‌ ସ୍କୋର କରି ଆଫଗାନିସ୍ତାନର ଟପ୍‌ ସ୍କୋରର ରହିଛନ୍ତି। ଅନ୍ୟ ପକ୍ଷରେ ଇବ୍ରାହିମ୍‌ ଜାଦ୍ରାନ, ହସମତଉଲ୍ଲା ଶାହିଦି ଓ ରେହମତ ଶାହ ମଧ୍ୟ ସପୋର୍ଟିଂ ଭୂମିକା ବହନ କରିଛନ୍ତି।

Share