ଦୋଛକିରେ ଆଫଗାନ୍‌

ଇସ୍‌ଲାମାବାଦ/କାବୁଲ,୪ା୧୧: ବେଆଇନ ପ୍ରବାସୀ ଅକ୍ଟୋବର ୩୧ ସୁଦ୍ଧା ପାକିସ୍ତାନ ଛାଡ଼ି ଚାଲିଯାଅ। ଅନ୍ୟଥା ଗିରଫ ପରେ ଜବରଦସ୍ତି ବିତାଡ଼ିତ କରାଯିବ ବୋଲି ପାକିସ୍ତାନ ମାସିକିଆ ମହଲତ ସହ ଚେତାବନୀ ଦେଇଥିଲା। ଏହି ପ୍ରତ୍ୟାବର୍ତ୍ତନ ନିର୍ଦ୍ଦେଶ ସମସ୍ତ ବିଦେଶୀଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିଲେ ମଧ୍ୟ ସର୍ବାଧିକ ଅସୁବିଧା ଆଫଗାନ୍‌ମାନେ ଭୋଗୁଛନ୍ତି। ଡେଡ୍‌ଲାଇନ୍‌ର କିଛି ଘଣ୍ଟା ପୂର୍ବରୁ ପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ ନିଶ୍ଚିତ କରିବା ସକାଶେ ପାକିସ୍ତାନ କର୍ତ୍ତୃପକ୍ଷ କେତେଜଣଙ୍କ ଘରେ ବୁଲ୍‌ଡୋଜର ଲଗାଇ ସେଗୁଡ଼ିକୁ ମାଟିରେ ମିଶାଇଦେଇଛନ୍ତି। ଅଦ୍ୟାବଧି ଉତ୍ତର-ପଶ୍ଚିମରେ ଥିବା ତୋର୍ଖାମ୍‌ ବର୍ଡର କ୍ରସିଂ ଦେଇ ସର୍ବାଧିକ ୧,୨୮,୦୦୦ ଆଫଗାନ୍‌ ସ୍ବଦେଶକୁ ଫେରିଛନ୍ତି। ପ୍ରତ୍ୟାବର୍ତ୍ତନକାରୀ ଶରଣାର୍ଥୀଙ୍କ ସଂଖ୍ୟାବୃଦ୍ଧିକୁ ଦୃଷ୍ଟିରେ ରଖି ସେଠାରେ ଆନୁଷଙ୍ଗିକ ସୁବିଧା ତିନିଗୁଣା ବଢ଼ାଯାଇଛି ବୋଲି ଖାଇବର ଜିଲା ଡେପୁଟି କମିଶନର ଅବ୍‌ଦୁଲ ନାସିର ଖାନ୍‌ ସୂଚନା ଦେଇଛନ୍ତି। ନଭେମ୍ବର ୧ ପରେ ଏହି କ୍ରସିଂ ପଏଣ୍ଟରେ ବେଆଇନ ପ୍ରବାସୀଙ୍କ ଭିଡ଼ ବଢ଼ିଯାଇଥିଲା। କିନ୍ତୁ ପ୍ରତ୍ୟାବର୍ତ୍ତନକାରୀଙ୍କୁ ଆଉ ଅନେକ ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁ ନ ଥିବାରୁ ସବୁକିଛି ସ୍ବାଭାବିକ ଚାଲିଥିବା ନାସିର କହିଛନ୍ତି। ତେବେ ଆଫଗନିସ୍ତାନରେ ପହଞ୍ଚୁଥିବା ଲୋକେ ପାକିସ୍ତାନରୁ ବିଦାହୋଇ ଫେରିବାବେଳେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ ଆଣିଛନ୍ତି। ନରଓ୍ବେଜିଆନ୍‌ ରେଫ୍ୟୁଜି କାଉନ୍‌ସିଲ, ଡାନିଶ ରେଫ୍ୟୁଜି କାଉନ୍‌ସିଲ ଏବଂ ଇଣ୍ଟରନ୍ୟାଶନାଲ ରେସ୍କ୍ୟୁ କମିଟି ପକ୍ଷରୁ ଏକ ମିଳିତ ବିବୃତିରେ କୁହାଯାଇଛି, ପାକିସ୍ତାନରୁ ଆଫଗାନିସ୍ତାନକୁ ଫେରୁଥିବା ଲୋକଙ୍କ ଦୁର୍ଦ୍ଦଶା ନ କହିବା ଭଲ। ସେମାନଙ୍କ ଭବିଷ୍ୟତ ଘୋର ଅନିଶ୍ଚିତତା ଦେଇ ଗତିକରୁଛି। ଅନ୍ୟପକ୍ଷେ ଫେବୃୟାରୀ ୮ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବା ପର୍ଯ୍ୟନ୍ତ ଚାଲିବାକୁ ଥିବା କାମଚଳା ସରକାରଙ୍କ ଏହି ପ୍ରତ୍ୟର୍ପଣ ନୀତିକୁ କେତେଜଣ ପାକିସ୍ତାନୀ ନେତା ଓ ଆକ୍ଟିଭିଷ୍ଟ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।
ଚମନ ସହରରେ ଦୀର୍ଘ ୨୨ ବର୍ଷ ଧରି ଖୁଚୁରା ବ୍ୟବସାୟ କରିଆସିଥିବା ୫୫ ବର୍ଷୀୟ ମହମ୍ମଦ ଇସ୍‌ମାଇଲ ରଫି କହିଛନ୍ତି, ପାକିସ୍ତାନୀ ସୀମାରେ ଅତି ଖରାପ ସ୍ଥିତିରେ ଆମେ ୩ ଦିନ ବିତାଇଲୁ। ପରିବାରର ୧୬ ସଦସ୍ୟଙ୍କ ସହ ଆସବାବପତ୍ର ଧରି ଚମନରେ ଥିବା ଘର ଛାଡ଼ି ବର୍ଡରକୁ ଆସିବାରେ ଆମକୁ ୬ ଦିନ ଲାଗିଲା। ପ୍ରତ୍ୟର୍ପଣ ପ୍ରକ୍ରିୟା ପାଇଁ ପାକିସ୍ତାନୀ ଅଧିକାରୀମାନେ ଆମଠୁ ଲାଞ୍ଚ ନେଇଛନ୍ତି। ଇସ୍‌ମାଇଲ ହେଲ୍‌ମଣ୍ଡ ପ୍ରଦେଶରେ ଥିବା ନିଜ ପୈତୃକ ଘରକୁ ଫେରିବା ପୂର୍ବରୁ ଅସ୍ଥାୟୀ ଭାବେ ଅବସ୍ଥାନ କରିବା ପାଇଁ କାନ୍ଦାହାରରେ ଏକ ଭଡ଼ାଘର ନେଇଛନ୍ତି।

Share