ଅନ୍ୟ ଦେଶ ଉପରେ ଆକ୍ରମଣ ଲାଗି ଆଫଗାନିସ୍ତାନର ମାଟିକୁ ବ୍ୟବହାର କରାଯିବ ନାହିଁ…

କାବୁଲ, ୭।୭ : ତାଲିବାନର ସର୍ବୋଚ୍ଚ ନେତା ମୁଲ୍ଲା ହୈବାତୁଲ୍ଲା ଆଖୁନ୍ଦଜାଦା କହିଛନ୍ତି ଯେ ଆଫଗାନିସ୍ତାନର ମାଟି ଅନ୍ୟ ଦେଶ ଉପରେ ଆକ୍ରମଣ ପାଇଁ ବ୍ୟବହାର କରାଯିବ ନାହିଁ। ଏଥିସହ ସେ ଆଫଗାନିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନକରିବାକୁ ଅନ୍ତର୍ଜାତୀୟ ସମୁଦାୟକୁ ନିବେଦନ କରିଛନ୍ତି।

ଗତ ବର୍ଷ କାବୁଲରେ ତାଲିବାନ କ୍ଷମତାକୁ ଆସିବା ପରେ ଭାରତ ଏବଂ ଏହି ଅଞ୍ଚଳର ଅନ୍ୟାନ୍ୟ ଦେଶ ଆଫଗାନିସ୍ତାନରେ ଅବସ୍ଥିତ ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ହେବାର ସମ୍ଭାବନାକୁ ନେଇ କ୍ରମାଗତ ଭାବରେ ଚିନ୍ତା ପ୍ରକଟ କରିଛନ୍ତି। ଏହି ସମୟରେ ଆଖୁନ୍ଦଜାଦାଙ୍କର ଏଭଳି ମନ୍ତବ୍ୟ ଆସିଛି।

ତାଲିବାନ କହିଛି ଯେ ଦେଶ ୨୦୨୦ରେ ଆମେରିକା ସହ ସ୍ବାକ୍ଷରିତ ହୋଇଥିବା ଏକ ଚୁକ୍ତିନାମାକୁ ପାଳନ କରୁଛି। ଯେଉଁଥିରେ ସେମାନେ ଆତଙ୍କବାଦୀଙ୍କ ସହ ଲଢ଼ିବାକୁ ପ୍ରତିଶୃତି ଦେଇଛନ୍ତି। ଗତ ବର୍ଷ ଆଫଗାନିସ୍ତାନ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ତାଲିବାନ ବାରମ୍ବାର କହି ଆସୁଛି ଯେ ଆଫଗାନିସ୍ତାନର ମାଟିକୁ ଅନ୍ୟ ଦେଶ ଉପରେ ଆକ୍ରମଣ ପାଇଁ ବ୍ୟବହାର କରାଯିବ ନାହିଁ।

ବକ୍ରି ଇଦ୍‌ ଛୁଟି ପୂର୍ବରୁ ଆଖୁନ୍ଦଜାଦା କହିଛନ୍ତି ଯେ ଆମେ ଆମର ପଡ଼ୋଶୀ ଦେଶ, ଅଞ୍ଚଳ ଏବଂ ବିଶ୍ୱ ସମୁଦାୟକୁ ନିଶ୍ଚିତ କରୁଛୁ ଯେ ଅନ୍ୟ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବାକୁ ଆମ ମାଟି ବ୍ୟବହାର କରିବାକୁ ଦେବୁ ନାହିଁ। ପାରସ୍ପରିକ ସହଯୋଗ ଏବଂ ପ୍ରତିବଦ୍ଧତାର ଶୈଳୀରେ ଆମେରିକା ସମେତ ବିଶ୍ୱ ସହିତ ଅର୍ଥନୈତିକ ଏବଂ ରାଜନୈତିକ ସମ୍ପର୍କ ଲାଗି ତାଲିବାନ ପ୍ରସ୍ତୁତ।

ଦକ୍ଷିଣ କାନ୍ଧାହାର ପ୍ରଦେଶରେ ଥିବା ତାଙ୍କ ବେସରୁ କାବୁଲରେ ପହଞ୍ଚିବା ପରେ ଆଖୁନ୍ଦଜାଦା ଏକ ସମାବେଶକୁ ସମ୍ବୋଧିତ କରିଥିଲେ। ତାଲିବାନ କ୍ଷମତାକୁ ଆସିବା ପରେ ଏହା ଆଖୁନ୍ଦଜାଦାଙ୍କର କାବୁଲକୁ ପ୍ରଥମ ଗସ୍ତ। ଆଫଗାନିସ୍ତାନରେ ଭାରତ ନୂତନ ଶାସନକୁ ସ୍ବୀକୃତି ଦେଇ ନାହିଁ ଏବଂ କାବୁଲରେ ପ୍ରକୃତ ଅନ୍ତର୍ଭୁକ୍ତ ସରକାର ଗଠନ ପାଇଁ ଦାବି କରୁଛି। ମିଳିତ ଭାବେ ଭାରତ କହିଛି ଯେ ଆଫଗାନିସ୍ତାନ ମାଟି କୌଣସି ଦେଶ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯିବା ଉଚିତ ନୁହେଁ।

 

Share