ବର୍ଲିନ,୨୨।୮ : କାବୁଲରୁ ଉଦ୍ଧାର କାର୍ଯ୍ୟ ଶେଷ କରି ଜର୍ମାନୀ ଫେରୁଥିବା ଆମେରିକା ବାୟୁସେନାର ସି-୧୭ ବିମାନରେ ଜଣେ ଆଫଗାନ ମହିଳା ଶିଶୁକନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ଏ ନେଇ ଆମେରିକାର ବାୟୁ ସେନା ରବିବାର ଟୁଇଟ୍ କରିଛି।
ବିମାନରେ ମହିଳାଙ୍କ ଗର୍ଭ ଜନିତ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ବିମାନ ମଧ୍ୟରେ ବାୟୁଚାପ ବଢ଼ାଇବା ପାଇଁ କମ୍ ଉଚ୍ଚତାରେ ବିମାନ ଉଡ଼ାଇବାକୁ କମାଣ୍ଡର ନିଷ୍ପତ୍ତି ନେଇଥିଲେ, ଯାହାକି ମହିଳାଙ୍କ ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ରାମଷ୍ଟେଇନ୍ ଏୟାରବେସ୍ରେ ଅବତରଣ କରିବା କ୍ଷଣି ଆମେରିକା ଡାକ୍ତରୀ ଦଳ ବିମାନ ମଧ୍ୟକୁ ଯାଇ ଶିଶୁଟିକୁ ପ୍ରସବ କରାଇଥିଲେ। ପରେ ଶିଶୁକନ୍ୟା ଓ ମା’ଙ୍କୁ ନିକଟବର୍ତ୍ତୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ୟୁଏସ୍ ଏୟାର ମୋବିଲିଟି କମାଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଆଫଗାନିସ୍ତାନରୁ ଉଦ୍ଧାର କରାଯାଉଥିବା ଲୋକଙ୍କ ପାଇଁ ରାଷ୍ଟେଇନ୍ ବେସ୍କୁ ଟ୍ରାଞ୍ଜିଟ୍ ପୋଷ୍ଟ ଭାବେ ବ୍ୟବହାର କରାଯାଉଛି।