Categories: ଖେଳ

ଏସିଆ କପ ପୂର୍ବରୁ ଆଫଗାନିସ୍ତାନ ନେଲା ବଡ ନିଷ୍ପତ୍ତି, ଘରୋଇ କ୍ରିକେଟର ପୂର୍ବତନ ଖେଳାଳିଙ୍କୁ ଦେଲା ଏହି ଦାୟିତ୍ୱ

କାବୁଲ,୧୫।୮: ଆଗାମୀ ଏସିଆ କପ ଏବଂ ଦିନିକିଆ ବିଶ୍ୱକପକୁ ଦୃଷ୍ଟିରେ ରଖି ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି) ତାଙ୍କ ଦଳର କୋଚିଂ ଷ୍ଟାଫରେ ଜଣେ ନୂତନ ସଦସ୍ୟଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଘରୋଇ କ୍ରିକେଟର ପୂର୍ବତନ ଖେଳାଳି ମିଳାପ ମେୱାଡାଙ୍କୁ ସେ ଏହି ଦାୟିତ୍ୱ ଦେଇଛି। ଯିଏକି ପୂର୍ବତନ ଭାରତୀୟ ଭେଟେରାନ ଖେଳାଳି ଇରଫାନ ପଠାନଙ୍କ ସହ ମଧ୍ୟ ଘନିଷ୍ଠ ଅଟନ୍ତି। ମିଳାପ ଆଫଗାନିସ୍ତାନ ଦଳରେ ଯୋଗ ଦେଇଛନ୍ତି ଏବଂ ପାକିସ୍ତାନ ବିପକ୍ଷ ଆଗାମୀ ସିରିଜ ସହିତ ଦାୟିତ୍ୱ ତୁଲାଉଥିବାର ଦେଖାଯିବ।

ଭାରତୀୟ ଘରୋଇ କ୍ରିକେଟରେ ବଡୋଦା ଦଳ ପାଇଁ ଖେଳିଥିବା ପୂର୍ବତନ ଉଇକେଟ୍‌ କିପର-ବ୍ୟାଟ୍ସମ୍ୟାନ ମିଳାପ ମେୱାଡା ପୂର୍ବରୁ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରେ ଆଫଗାନିସ୍ତାନ ଦଳର ବ୍ୟାଟିଂ ପ୍ରଶିକ୍ଷକ ଭାବରେ ନିଯୁକ୍ତ ହୋଇଥିଲେ। ଏହା ପରେ ସେମାନେ ମିଳାପଙ୍କ ଚୁକ୍ତିନାମାକୁ ଚଳିତ ବର୍ଷ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ।

Share