ଭାଇରାଲ ହେଉଛି ତାଲିବାନ ରାଜର ପ୍ରଥମ ଫଟୋ: ଛାତ୍ରୀ ଓ ଛାତ୍ରଙ୍କ ମଝିରେ ଲାଗିଲା ପରଦା

କାବୁଲ,୬ ।୯: ଆଫଗାନିସ୍ତାନ ତାଲିବାନ ନିୟନ୍ତ୍ରଣକୁ ଆସିବା ପରେ ଉଚ୍ଚ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା । ଯେଉଁଥିରେ କୁହାଯାଇଥିଲା କି ୟୁନିଭର୍ସିଟିରେ ପାଠପଢା ସମୟରେ ଛାତ୍ରୀ ଓ ଛାତ୍ରଙ୍କ କ୍ଲାସ ଅଲଗା ଅଲଗା ହେବ । ଯଦି ଏହା ସମ୍ଭବ ନୁହେଁ ତେବେ ମଝିରେ ପରଦା ଲଗାଇ ପାଠପଢାଯିବ । ତାଲିବାନର ଏହି ଆଦେଶ ପରେ ଏବେ ଆଫଗାନିସ୍ତାନର ଏକ କଲେଜର ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ମଝିରେ ପରଦା ଲଗି ଗୋଟିଏ ପଟେ ଛାତ୍ରୀ ଓ ଅନ୍ୟପଟେ ଛାତ୍ରମାନେ ବସି ପାଠ ପଢୁଥିବା ଦେଖାଯାଇଛି । ଆଫଗାନିସ୍ତାନର ନ୍ୟୁଜ ଏଜେନ୍ସି ଆଜମ ନ୍ୟୁଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଆଫଗାନିସ୍ତାନର ଏକ କଲେଜର ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଛାତ୍ରୀଛାତ୍ର ପାଠପଢୁଥିବା ସମୟରେ ମଝିରେ ପରଦା ଟଣା ଯାଇଛି । ସୂଚନାଯୋଗ୍ୟ, ତାଲିବାନ ନିର୍ଦ୍ଦେଶରେ ଏହା ମଧ୍ୟ ଜାରି କରାଯାଇଥିଲା କି କଲେଜ, ୟୁନିଭର୍ସିଟିରେ ଛାତ୍ରୀଛାତ୍ରଙ୍କ ପ୍ରବେଶ ଓ ପ୍ରସ୍ଥାନ ବି ଅଲଗା ଅଲଗା ହେବ । ସେହିପରି ଛାତ୍ରୀମାନେ ଛାତ୍ରମାନଙ୍କଠାରୁ ୫ ମିନିଟ୍ ଆଗୁଆ ସେମାନଙ୍କ କାମ ସାରିବା ଜରୁରୀ ଯାହାଦ୍ୱାରା ମହିଳା-ପୁରୁଷ ଏକାଠି କଥା ହେବାକୁ ବା ବୁଲିବାକୁ ଚେଷ୍ଟା ନ କରି ପାରନ୍ତି । ଏହା ବତୀତ ଯେପର୍ଯ୍ୟନ୍ତ ଛାତ୍ରମାନେ କ୍ୟାମ୍ପସରୁ ବାହାରକୁ ଚାଲି ନ ଯାଇଛନ୍ତି ସେପର୍ଯ୍ୟନ୍ତ ଛାତ୍ରୀମାନେ ୱେଟିଙ୍ଗ ରୁମରେ ଅପେକ୍ଷା କରିବେ । ପୂର୍ବରୁ ତାଲିବାନ ତା’ର କାର୍ଯ୍ୟକ୍ରମରେ ମହିଳାଙ୍କ ପାଠପଢା ଓ ଚାକିରି ଉପରେ ପ୍ରତିବନ୍ଧକ ଲଗାଇଥିଲା । ଏହାକୁ ନେଇ ଜଣେ ପ୍ରଫେସର କହିଛନ୍ତି ତାଲିବାନ ଛାତ୍ରୀଙ୍କୁ ପାଠପଢିବାକୁ ଅନୁମତି ଦେଉଛି ଏହା ଏକ ସକରାତ୍ମକ ପଦକ୍ଷେପ । ସୂଚନାଯୋଗ୍ୟ, ତାଲିବାନ ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ଆଫଗାନିସ୍ତାନରେ ରାଜ୍ କରିଥିଲା । ଆଉ ସେତେବେଳେ ମହିଳାଙ୍କ ଅଧିକାର ଓ ସ୍ୱାଧିନତାକୁ ଛଡାଇ ନିଆଯାଇଥିଲା । ସେଥିପାଇଁ ତାଲିବାନର ଦ୍ୱିତୀୟ କାର୍ଯ୍ୟକାଳରେ ମହିଳାମାନେ ଭୟଭୀତ ହୋଇଯାଇଛନ୍ତି । ଏଥର କିନ୍ତୁ ତାଲିବାନ କହିଛି ସମସ୍ତଙ୍କ ଅଧିକାରକୁ ସୁରକ୍ଷା ଦେବ । ଏହାପରେ ବି ଆଫଗାନିସ୍ତାନରେ ଭୟର ବାତାବରଣ ଲାଗି ରହିଛି

Share