Categories: ଖେଳ

ଧୋନିଙ୍କ ଠାରୁ ବିଶେଷ ଉପହାର ପାଇଲେ ଗୁରବାଜ, ଟୁଇଟ୍‌ କରି ଦେଲେ ଧନ୍ୟବାଦ

ନୂଆଦିଲ୍ଲୀ,୨୧।୬: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୬ ତମ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ସର୍ବାଧିକ ଚର୍ଚ୍ଚା ଦେଖିବାକୁ ମିଳିଛି। ଏହା ପଛର କାରଣ ହେଉଛି ଅନେକ ପ୍ରଶଂସକ ବିଶ୍ୱାସ କରୁଥିଲେ ଯେ ଏହା ଧୋନିଙ୍କର ଶେଷ ସିଜନ ହୋଇପାରେ। ଏହି କାରଣରୁ ଅନେକ ଖେଳାଳି ମ୍ୟାଚ ପରେ ଧୋନିଙ୍କ ସହ ସେଲଫି ନେଉଥିବାର କିମ୍ବା ଜର୍ସିରେ ତାଙ୍କ ଅଟୋଗ୍ରାଫ ନେଇଥିବାର ନଜର ଆସିଥିଲେ। ବର୍ତ୍ତମାନ ଏହି ସମୟରେ ଆଫଗାନିସ୍ତାନର ଉଇକେଟକିପର ବ୍ୟାଟ୍ସମ୍ୟାନ ରହମାନୁଲ୍ଲା ଗୁରବାଜ ମଧ୍ୟ ଧୋନିଙ୍କଠାରୁ ଏକ ବିଶେଷ ଉପହାର ଗ୍ରହଣ କରିଛନ୍ତି।

ଆଫଗାନିସ୍ତାନ ଖେଳାଳି ରହମାନୁଲ୍ଲା ଗୁରବାଜ ଚଳିତ ସିଜନରେ କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ଦଳରୁ ଆଇପିଏଲରେ ଡେବ୍ୟୁ କରିବାକୁ ପାଇଛନ୍ତି। ସୋସିଆଲ ମିଡିଆରେ ପ୍ରସ୍ତୁତ ଏକ ପୋଷ୍ଟରେ ଗୁରବାଜ ଚେନ୍ନାଇ ସୁପର କିଙ୍ଗ୍ସର ଜର୍ସି ଧରିଛନ୍ତି, ଯେଉଁଥିରେ ଧୋନିଙ୍କ ଅଟୋଗ୍ରାଫ ସ୍ପଷ୍ଟ ଦେଖାଯାଉଛି। ରହମାନୁଲ୍ଲା ଗୁରବାଜ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ତାଙ୍କ ଚେନ୍ନାଇ ଟିମ ଜର୍ସି ସହିତ ଫଟୋ ଟୁଇଟ୍‌ କରି ସେ ଲେଖିଛନ୍ତି ଯେ ଭାରତରୁ ଏହି ଚମତ୍କାର ଉପହାର ପଠାଇଥିବାରୁ ମହୀ ସାରଙ୍କୁ ଧନ୍ୟବାଦ।

Share