କାବୁଲ ବିମାନ ବନ୍ଦରରେ ପାଣି ବୋତଲର ଦାମ୍ ୩ହଜାର ଟଙ୍କା ଭାତ ପ୍ଲେଟ ୭ହଜାର ୫ଶହ

କାବୁଲ,୨୬ ।୮: ଆଫଗାନିସ୍ତାନରେ ତାଲିବାନ ପ୍ରବେଶ କରିବା ପରେ ଏବେ ସେଠାରେ ବେଳକୁ ବେଳ ସ୍ଥିତି ବିଗିଡିବାରେ ଲାଗିଛି । ଦେଶ ଛାଡି ଚାଲିଯିବାକୁ ଚାହୁଁଥିବା ଲୋକଙ୍କ ଭିଡ କାବୁଲ ବିମାନ ବନ୍ଦରରେ ଲାଗିଛି । ଫଳରେ ସେଠାରେ ଖାଦ୍ୟାଭାବ ଲୋକଙ୍କୁ ଭୋକ ଉପାସରେ ରହିବାକୁ ବାଧ୍ୟ କରିଛି । ଏକ ରିପୋର୍ଟ ଅନୁଯାୟୀ ସେଠାରେ ଏବେ ପାଣି ଗୋଟିଏ ବୋତଲର ଦାମ୍ ୧୦ ଡଲାର ବା ୩୦୦୦ ଟଙ୍କାରେ ମିଳୁଥିବା ବେଳେ ଗୋଟିଏ ପ୍ଲେଟ ଭାତର ଦାମ୍ ୧୦୦ ଡଲାର ବା ପାଖାପାଖି ୭୫୦୦ ଟଙ୍କା ହୋଇଛି । ଯାହା ଫଳରେ ଲୋକେ ଭୋକରେ ରହିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପଟେ ସେଠାରେ କାବୁଲର କରେନ୍ସି ଗ୍ରହଣ କରାଯାଉ ନାହିଁ କେବଳ ଡଲାର ମାଧ୍ୟମରେ ଜିନିଷ କିଣିବା ସମ୍ଭବ ହେଉଛି । ତେଣୁ ଏହା ଆଫଗାନିସ୍ତାନ ବାସିନ୍ଦାଙ୍କୁ ଅଡୁଆରେ ପକାଇଛି । ଭୋକର ଅଧିକ ଶିକାର ହେଉଛନ୍ତି ଛୋଟ ପିଲା । ଏମିତିକି ଏମାନେ ବେହୋସ ହୋଇ ଯାଉଥିବା କୁହାଯାଉଛି । ଏପଟେ ନିଜକୁ ଅସହାୟ ମଣିଲେଣି ଆଫଗାନବାସୀ । କାବୁଲ ବିମାନ ବନ୍ଦର ବାହାରେ ପାଖାପାଖି ୫୦ ହଜାରରୁ ଅଧିକ ଲୋକେ ଅପେକ୍ଷା କରିଥିବା ବେଳେ ଏବେ ବିମାନ ବନ୍ଦର ଭିତରକୁ ପ୍ରବେଶ କରିବା କାଠିକାର ପାଠ ହାଇଯାଇଛି । ଗୋଟିଏ ପଟେ ବିମାନ ବନ୍ଦର ପାଚିରି ଭିତରେ ଭୋକ ଓ ଭୟରେ ସଢୁଛନ୍ତି ଲୋକେ ଅନ୍ୟପଟେ ପାଚିରି ବାହାରେ ଉତ୍ସବ ମନାଉଛି ତାଲିବାନ । ସବୁଠାରୁ ବଡ କଥା ହେଲା ଏଭଳି ସ୍ଥିତିରେ ଭିଡ ଭିତରେ ଲୋକେ କରୋନା ମାହାମାରୀକୁ ଆଦୌ ଭୟ କରୁ ନ ଥିବା ବେଳେ ସବୁଠାରୁ ବେଶି ଭୟ କରୁଛନ୍ତି ତାଲିବାନକୁ ।

Share