ଖର୍ଚ୍ଚ କମ୍‌ ପାଇଁ ଆଫଗାନିସ୍ତାନରେ ସାମୂହିକ ବିବାହ

କାବୁଲ,୨୬।୧୨: ଚାଲିଛି ବିବାହ ଋତୁ। ବିବାହ ଏକ ପ୍ରକାର କାର୍ଯ୍ୟକ୍ରମ ନୁହେଁ ତ ହିନ୍ଦୁ ସଂସ୍କୃତିରେ ଏହା ଏକ ଉତ୍ସବ ଭାବେ ପାଳନ କରାଯାଏ। ଘରେ ଗହଳ ଚହଳ ଲାଗିବା ସହ ଖାଦ୍ୟ-ପାନୀୟର ଆସର ଲାଗେ। କିନ୍ତୁ ପୃଥିବୀର ସବୁଠାରୁ ଗରିବ ଦେଶ କୁହାଯାଉଥିବା ଆଫଗାନିସ୍ତାନ ଏବେ ଅର୍ଥାଭାବ ସଙ୍ଗେ ଜୁଝି ହେଉଛି। ଅର୍ଥନୈତିକ ଅଚଳାବସ୍ଥା ଯୋଗୁ ସାଧାରଣ ଲୋକଙ୍କ ମୁଣ୍ଡରେ ଚଡକ ପଡିଛି। ୨୦୨୧ ଅଗଷ୍ଟରୁ ତାଲିବାନ ଆଫଗାନିସ୍ତାନରେ କ୍ଷମତାସୀନ ହେବା ପର ଠାରୁ ଦେଶରେ ରାଜନୈତିକ ସହ ଅର୍ଥନୈତିକ ସମସ୍ୟା ଦେଖାଦେଇଛି। ସ୍ଥିତି ଏପରି ହୋଇଛି କି, ଖର୍ଚ୍ଚ କମ୍‌ କରିବା ପାଇଁ ଆଫଗାନୀ ସାମୂହିକ ବିବାହ କରୁଛନ୍ତି। ଦେଶରେ ଏବେ ଏହା ଏକ ପ୍ରଥା ଭାବରେ ପରିଗଣିତ ହୋଇଛି।

ବିବାହ କରୁଥିବା ଜଣେ ୧୮ବର୍ଷିୟ ଆଫଗାନୀ ଯୁବକ କହିଛନ୍ତି, ପାରମ୍ପରିକ ରୀତିନୀତିରେ ବିବାହ ଆୟୋଜନ କରିବାକୁ ହେଲେ ୨.୫ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ। ଏକାସଙ୍ଗେ ଏତେ ଟଙ୍କା ଖର୍ଚ୍ଚ କରିବା ପାଇଁ ସେ ସକ୍ଷମ ନୁହନ୍ତି। ବର୍ତ୍ତମାନ ସେ ସାମୂହିକ ବିବାହ ଉତ୍ସବରେ ମାତ୍ର ୧୦ରୁ ୧୫ହଜାର ଟଙ୍କା ଦେଇ ବିବାହ କରୁଛନ୍ତି। ସେହିପରି କମ୍‌ ସଂଖ୍ୟକ ଅତିଥିଙ୍କୁ ବିବାହରେ ନିମନ୍ତ୍ରଣ କରିଥିବା ନେଇ ସେ କହିଛନ୍ତି।

ଏହି ବିବାହ ଆୟୋଜନ କରୁଥିବା ସୈଲୈବ ଫାଉଣ୍ଡେଶନ, ପ୍ରତିଟି ନବ ବିବାହିତା ଦମ୍ପତିଙ୍କୁ ୧୬୦୦ଆମେରିକା ଡଲାର ପ୍ରଦାନ କରୁଛି। କାବୁଲ ଏୟାରପୋର୍ଟ ନିକଟରେ ଥିବା ଓ୍ବେଡିଂ ହଲ୍‌ରେ ଆୟୋଜିତ ଏହି ସାମୂହିକ ବିବାହ ଧୁମଧାମରେ ପାଳନ କରାଯାଉଛି। ନବ ବିବାହିତା ଦମ୍ପତିଙ୍କୁ ନେବାଆଣିବା ପାଇଁ ସବୁଜ ରିବନ ଓ ପ୍ଲାଷ୍ଟିକ ଗୋଲାପ ସଜ୍ଜା ଯାଇଥିବାକାର ବ୍ୟବହୃତ ହେଉଛି। ସାମୂହିକ ବିବାହ କରିବା ପାଇଁ ପଞ୍ଜିକରଣ ହେଉଥିବାବେଳେ ସୋମବାର ୬୦୦କପୁଲ ଆବେଦନ କରିଥିବାବେଳେ ୫୦ଜଣଙ୍କର ଏକାସଙ୍ଗେ ହୋଇପାରିଛି।

Share