କାବୁଲ,୨୭।୨: ପାକିସ୍ତାନରେ ଆୟୋଜିତ ଚାମ୍ପିଅନ୍ସ ଟ୍ରଫିରେ ଆଫଗାନିସ୍ତାନ ଟିମ୍ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଛି। ସେ ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଦଳ ଏକ ରୋମାଞ୍ଚକର ମ୍ୟାଚ୍ରେ ଇଂଲଣ୍ଡ ଭଳି ଦଳକୁ ୮ ରନରେ ପରାସ୍ତ କରି ଟୁର୍ନାମେଣ୍ଟରୁ ବାହାର କରିଦେଇଛି। ଏଥିସହିତ ଦଳ ଏହି ଟୁର୍ନାମେଣ୍ଟରେ ଏହାର ପ୍ରଥମ ବିଜୟ ହାସଲ କରିଛି। ଏହାକୁ ନେଇ କେବଳ ଖେଳାଳିମାନେ ଉତ୍ସବ ପାଳନ କରିନାହାନ୍ତିି ବରଂ ଆଫଗାନିସ୍ତାନ ପ୍ରଶଂସକମାନେ ମଧ୍ୟ ଏସବୁରେ ପଛରେ ରହି ନାହାନ୍ତି। ଇଂଲଣ୍ଡ ବିପକ୍ଷରେ ଦଳର ବିଜୟ ପରେ ଆଫଗାନିସ୍ତାନରେ ଦୀପାବଳି ଭଳି ପରିବେଶ ସୃଷ୍ଟି ହୋଇଥିଲା।
ଲାହୋରରେ ଇଂଲଣ୍ଡ ବିପକ୍ଷରେ ବିଜୟ ଲାଭ କରିବା ପରେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ଉତ୍ସବ ମନା ଯାଇଥିଲା। ପ୍ରଶଂସକମାନେ ରାସ୍ତାକୁ ଓହ୍ଲାଇ ଧୁମ ଧାମ୍ରେ ଉତ୍ସବ ପାଳନ କରିଥିଲେ, ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ସେମାନେ ନିଆଁ ଲଗାଇବା ସହ ପ୍ରଚୁର ବାଣ ଫୁଟାଉଥିବା ଦେଖାଯାଉଛି। କିଛି ପ୍ରଶଂସକଙ୍କୁ ବାଇକ ଷ୍ଟଣ୍ଟ କରୁଥିବାର ମଧ୍ୟ ଦେଖାଯାଇଛି। କେବଳ ଏତିକି ନୁହେଁ ହଜାର ହଜାର ପ୍ରଶଂସକ ନିଜ ଦଳର ବିଜୟକୁ ପାଳନ କରିବା ପାଇଁ ରାସ୍ତାରେ ଏକ ରାଲି ବାହାର କରିଥିଲେ। ଏହି ସମୟରେ ଅନେକ ପ୍ରଶଂସକ ଗାଡ଼ି ଉପରେ ନାଚୁଥିବାର ଦେଖାଯାଇଥିଲା। ସେହିଭଳି ରାସ୍ତାରେ ଅନେକ ଲୋକ ନାଚୁଥିଲେ।
ଆଫଗାନିସ୍ତାନ ଦଳ ଯେଉଁଭଳି ପରିସ୍ଥିତିରୁ ବିଜୟ ଲାଭ କଲା ତାହା ଦେଖିବା ପରେ ବିଶ୍ୱର ମହାନ ଖେଳାଳିମାନେ ଚକିତ ହୋଇଯାଇଛନ୍ତି। ଲାହୋରରେ ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୩୭ ରନରେ ୩ ଉଇକେଟ ହରାଇଥିଲା। ଏହା ପରେ ଇବ୍ରାହିମ ଜାଦ୍ରନ ୧୭୭ ରନର ଇନିଂସ ଖେଳିଥିଲେ। ଅଧିନାୟକ ହଶମତୁଲ୍ଲା ଶାହିଦି ୪୦ ରନ ଏବଂ ଆଜମତୁଲ୍ଲା ଓମାରଜାଇ ୪୧ ରନ ଯୋଗଦାନ କରି ଦଳର ସ୍କୋରକୁ ୩୨୫ ରେ ପହଞ୍ଚାଇଥିଲେ।
ଜବାବରେ ରୁଟ୍ଙ୍କ ଶତକ ଯୋଗୁ ଇଂଲଣ୍ଡ ୬ ଉଇକେଟ ହରାଇ ୨୮୭ ରନ କରିଥିଲା ଏବଂ ବିଜୟ ନିକଟତର ମନେ ହେଉଥିଲା। କିନ୍ତୁ ଆଜମତୁଲ୍ଲା ଓମାରଜାଇ ପ୍ରଥମେ ରୁଟ୍ ଏବଂ ପରେ ଜେମି ଓଭରଟନ୍ଙ୍କ ଉଇକେଟ ନେଇ ଇଂଲଣ୍ଡକୁ ପରାଜୟମୁହାଁ କରିଥିଲେ। ଶେଷ ଓଭରରେ ୧୩ ରନ ରକ୍ଷା କରି ଓମାରଜାଇ ଆଦିଲ ରଶିଦଙ୍କ ଉଇକେଟ ନେଇ ଇନିଂସ ଏବଂ ମ୍ୟାଚ୍ର ଅନ୍ତ ଘଟାଇଥିଲେ। ଏହି କାରଣରୁ ଇଂଲଣ୍ଡ ଟିମ୍ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ରାଉଣ୍ଡରୁ ବାଦ୍ ପଡ଼ିଥିଲା। ଆପଣଙ୍କୁ କହିରଖୁଛୁ ଯେ ଏହା ପୂର୍ବରୁ ଆଫଗାନିସ୍ତାନ ୨୦୨୩ ODI ବିଶ୍ୱକପ ସମୟରେ ମଧ୍ୟ ଇଂଲଣ୍ଡକୁ ପରାସ୍ତ କରିଥିଲା।