ଆଫଗାନିସ୍ତାନ ସରକାରଙ୍କ ମିଡିଆ ଇନଫରମେଶନ ଡାଇରେକ୍ଟରଙ୍କୁ ହତ୍ୟା

କାବୁଲ,୬ ।୮: ଆଫଗାନିସ୍ତାନର ସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି । ନୂଆ ଅଞ୍ଚଳକୁ ତାଲିବାନ ତା କବଜାକୁ ନେବାରେ ଲାଗିଛି । ଇତିମଧ୍ୟରେ ଶୁକ୍ରବାର ଆଫଗାନିସ୍ତାନ ସରକାରଙ୍କ ମିଡିଆ ଆଣ୍ଡ ଇନଫରମେଶନ ସେଣ୍ଟରର ମୁଖ୍ୟ ଦାବା ଖାନ ମିନାପାଲଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ଟୋଲୋ ନ୍ୟୁଜର ସୂଚନା ଅନୁଯାୟୀ, ଦାବା ଖାନଙ୍କ ଉପରେ ଅଜ୍ଞାତ ବନ୍ଧୁକଧାରୀ କାବୁଲରେ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ଶୁକ୍ରବାର ମଧ୍ୟାହ୍ନରେ ପଶ୍ଚିମ କାବୁଲର ଦାରୁଲ ଅମନ ରୋଡରେ ହୋଇଥିବା କୁହାଯାଉଛି । ଆଫଗାନିସ୍ତାନ ସରକାରଙ୍କ ମିଡିଆ ବିଭାଗର ମୁଖ୍ୟ ରହିବା ପୂର୍ବରୁ ଦାବା ଖାନ ୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ଉପରାଷ୍ଟ୍ରପତିଙ୍କ ପ୍ରବକ୍ତା ରହିଥିଲେ । ୨୦୧୫ରେ ସେ କନ୍ଧାରରେ ସରକାରଙ୍କ ମିଡିଆ ଆଣ୍ଡ ଇନଫରମେଶନ ସେଣ୍ଟରର ମୁଖ୍ୟ ବି ଥିଲେ । ଦକ୍ଷିଣ ଆଫଗାନିସ୍ତାନର ଜାବୁଲ ଅଞ୍ଚଳର ବାସିନ୍ଦା ଥିଲେ ଦାବା ଖାନ ।

Share