କାବୁଲ,୨୦ ।୯: ଆଫଗାନିସ୍ତାନରେ ତାଲିବାନର ରାଜୁତିକୁ ପାଖାପାଖି ୧ ମାସ ହେବାକୁ ଯାଉଛି । ହେଲେ ଏହାରି ଭିତରେ ତାଲିବାନ ଦେଇଥିବା କଥା ରଖିନାହିଁ । ପ୍ରଥମରୁ ତାଲିବାନ କହିଥିଲା କି ମହିଳାଙ୍କୁ ସେମାନଙ୍କର ସମସ୍ତ ଅଧିକାର ମିଳିବ । ହେଲେ ଏହାର ଓଲଟା ପରିଣତି ଦେଖିବାକୁ ମିଳିଛି । ଚାକିରି, ଶିକ୍ଷା ସବୁଥିରୁ ତାଲିବାନ ଆଫଗାନ ମହିଳାଙ୍କୁ ବଞ୍ଚିତ କରିବାରେ ଲାଗିଛି । ଏବେ ତାଲିବାନ ମହିଳାଙ୍କ ପାଇଁ ନୂଆ ନିୟମ ଆଣିଛି । ଏମିତିକି ମହିଳା ମନ୍ତ୍ରଣାଳୟରେ ଏବେ ମହିଳାଙ୍କୁ ପ୍ରବେଶ ନିଷେଧ କରିଛି ତାଲିବାନ । ନଗର ପାଳିକାରେ ୩ ହଜାର କର୍ମଚାରୀଙ୍କ ମଧ୍ୟରେ ପ୍ରାୟ ୧ ହଜାର ମହିଳା ଥିବା ବେଳେ ସେମାନଙ୍କୁ କାର୍ଯ୍ୟାଳୟକୁ ପ୍ରବେଶ ଅନୁମତି ଦେଉନାହିଁ ତାଲିବାନ । ଏବେ ତାଲିବାନ କହିଛି ଯେଉଁ କାମ ପୁରୁଷମାନେ ନ କରୁଛନ୍ତି ତାହା ମହିଳା କରନ୍ତୁ । ତାଲିବାନର ଏସବୁ ନିୟମକୁ ବିରୋଧ କରୁଛନ୍ତି ଆଫଗାନ ମହିଳା । ଏବେ ସେମାନେ ରାଜରାସ୍ତାକୁ ଓହ୍ଲାଇ ସେମାନଙ୍କ ଅଧିକାର ମାଗୁଛନ୍ତି । ତାଲିବାନକୁ ବିରୋଧ କରି ମହିଳା କେବଳ ସ୍ୱାଧିନତା ମାଗୁଛନ୍ତି ।