
ନୂଆଦିଲ୍ଲୀ,୨୬।୨: ପ୍ରଥମ ଏବଂ ସବୁଠାରୁ ବଡ଼ ବିପର୍ଯ୍ୟୟ ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ଦେଖାଯାଇଛି। ଦୁର୍ବଳ ଆଫଗାନିସ୍ତାନ ଦଳ ଇଂଲଣ୍ଡ ଭଳି ବିଶ୍ୱ ଚାମ୍ପିଅନ ଦଳକୁ ପରାସ୍ତ କରିଛି। ହସମତୁଲ୍ଲା ଶାହିଦିଙ୍କ ଅଧିନାୟକତ୍ୱରେ ଆଫଗାନିସ୍ତାନ ଦଳ ଇଂଲଣ୍ଡକୁ ୮ ରନରେ ପରାସ୍ତ କରିଥିଲା। ଏହି ପରାଜୟ ସହିତ, ଜସ୍ ବଟଲରଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ଦଳ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଇଛି।
ଅନ୍ୟପଟେ ଆଫଗାନିସ୍ତାନ ଏବେ ବି ସେମିଫାଇନାଲ ଦୌଡ଼ରେ ରହିଛି। ଏବେ ଏହାର ପରବର୍ତ୍ତୀ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ରହିଛି। ଯଦି ଆଫଗାନିସ୍ତାନ ଦଳକୁ ସେମିଫାଇନାଲରେ ପ୍ରବେଶ କରିବାକୁ ପଡ଼େ, ତେବେ ତାକୁ ଯେକୌଣସି ମୂଲ୍ୟରେ କଙ୍ଗାରୁ ଦଳକୁ ପରାସ୍ତ କରିବାକୁ ପଡ଼ିବ। ଆଫଗାନିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ୨୮ ଫେବୃଆରୀରେ ଲାହୋରରେ ଅନୁଷ୍ଠିତ ହେବ।
ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୫୦ ଓଭରରେ ୭ ଉଇକେଟ ହରାଇ ୩୨୫ ରନ କରିଥିଲା। ଦଳ ପକ୍ଷରୁ ଇବ୍ରାହିମ ଜାଦ୍ରାନ ୧୪୬ ବଲରେ ୧୨ ଚୌକା ଓ ୬ ଛକା ସହିତ ବିସ୍ଫୋରକ ୧୭୭ ରନ କରିଥିଲେ। ଏହା ଆଇସିସି ଚାମ୍ପିୟନ୍ସ ଟ୍ରଫି ଇତିହାସର ସର୍ବାଧିକ ବ୍ୟକ୍ତିଗତ ସ୍କୋର। ଅନ୍ୟମାନଙ୍କ ମଧ୍ୟରେ ଆଜମାତୁଲା ଓମରାଜାଇ ୪୧, ଅଧିନାୟକ ହାଶମାତୁଲା ଶାହିଦି ଓ ମହମ୍ମଦ ନବି ୪୦ ଲେଖାଏ ରନ କରିଥିଲେ। ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚ୍ଚର ୩ ଓ ଲିଆମ ଲିଭିଂଷ୍ଟୋନ ୨ ଉଇକେଟ ନେଇଥିଲେ।
ଜବାବରେ ଇଂଲଣ୍ଡ ୪୯.୫ ଓଭରରେ ସମସ୍ତ ଉଇକେଟ ହରାଇ ୩୧୭ ରନ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଜୋ ରୁଟ ସର୍ବାଧିକ ୧୧ ଚୌକା ଓ ୧ ଛକା ସହିତ ୧୨୦ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବେନ ଡକେଟ ଓ ଅଧିନାୟକ ଜୋସ ବଟଲର ୩୮ ଲେଖାଏ, ହ୍ୟାରୀ ବ୍ରୁକ ୨୫ ଓ ଜେମି ଓଭରଟନ ୩୨ ରନ କରିଥିଲେ। ଆଫଗାନିସ୍ତାନ ପାଇଁ ଓମାରଜାଇ ୫ ଉଇକେଟ ସଫଳତା ହାସଲ କରିଥିଲେ। ନବି ୨ ଉଇକେଟ ନେଇଥିବାବେଳେ ଫାଜଲହକ ଫାରୁକି, ରଶିଦ ଖାନ୍ ଓ ଗୁଲବଦିନ ନାଏକ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।