ପାକିସ୍ତାନରେ ଆଫଗାନିସ୍ତାନ ସ୍ଥିତି: ଟିଟିପି ନୂଆ ସରକାର ଘୋଷଣା କଲା…

ଇସଲାମାବାଦ,୨।୧ : ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ (ଟିଟିପି) ପାକିସ୍ତାନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଫଳରେ ଏବେ ପାକିସ୍ତାନରେ ଆଫଗାନିସ୍ତାନ ସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନ ସରକାରଙ୍କୁ ଚ୍ୟାଲେଞ୍ଜ କରି ଟିଟିପି ଏକ ନୂତନ ସରକାର ଘୋଷଣା କରିଛି। ଏହି ଘୋଷଣାକୁ ଦେଶରେ ନୂତନ ସରକାର ଗଠନ ଭାବେ ବିବେଚନା କରାଯାଉଛି। ଟିଟିପିର ଘରୋଇ ମିଡିଆ ଏଜେନ୍ସି ଖୋରାସାନ ଡାଏରୀ ଏକ ବିବୃତ୍ତି ଜାରି କରି ଏହା ବିଷୟରେ ସୂଚନା ଦେଇଛି।

ଆତଙ୍କବାଦୀ ସଂଗଠନ ଟିଟିପି ଗତ କିଛି ମାସ ମଧ୍ୟରେ ପାକିସ୍ତାନରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣକୁ ତୀବ୍ର କରିଛି। ତାଲିବାନ ସମର୍ଥିତ ଏହି ଆତଙ୍କବାଦୀ ସଂଗଠନର ଗଡ଼ ହେଉଛି ଖାଇବର ପସ୍ତୁନଖ୍ବା, ବାଲୁଚିସ୍ତାନ ଏବଂ ପାକିସ୍ତାନର ଆଦିବାସୀ ବହୁଳ ଅଞ୍ଚଳ। ପାକିସ୍ତାନ ସରକାରଙ୍କ ସହ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ ମଧ୍ୟ ଟିଟିପି ଏଠାରେ ଆକ୍ରମଣକୁ ତୀବ୍ର କରିଛି। ବିଶେଷକରି ଆଫଗାନିସ୍ତାନକୁ ଲାଗିଥିବା ପାକିସ୍ତାନ ଅଞ୍ଚଳରେ ଏହାର ଆତଙ୍କବାଦୀଙ୍କ ଶକ୍ତି ବୃଦ୍ଧି ପାଇଛି ଏବଂ ସେନା ଦୁର୍ବଳ ହେବାରେ ଲାଗିଛି।

ପ୍ରତିରକ୍ଷା, ନ୍ୟାୟପାଳିକା, ସୂଚନା, ରାଜନୈତିକ ବ୍ୟାପାର, ଅର୍ଥନୈତିକ ବ୍ୟାପାର, ଶିକ୍ଷା, ଫତୱା ପ୍ରଦାନକାରୀ ପ୍ରାଧିକରଣ, ଗୁପ୍ତଚର ଏବଂ ନିର୍ମାଣ ଆଦି ମନ୍ତ୍ରଣାଳୟକୁ ବିଭକ୍ତ କରି ଟିଟିପି ଏହାର ନୂତନ ନିଯୁକ୍ତି ଘୋଷଣା କରିଛି। ନିଜ ସରକାରଙ୍କ କ୍ଷେତ୍ରକୁ ଦୁଇଟି ପ୍ରଦେଶରେ ବିଭକ୍ତ କରଛି। ଗୋଟିଏ ନିୟନ୍ତ୍ରଣକୁ ଦୁଇ ଭାଗରେ ବଣ୍ଟା ଯାଇଛି। ପ୍ରଥମଟି ଯେଉଁଠାରେ ଏହାର ନିୟନ୍ତ୍ରଣ ଦୁର୍ବଳ, ଅନ୍ୟଟି ପାକିସ୍ତାନ ସରକାରଙ୍କ ସହ ଯେଉଁ ଅଞ୍ଚଳରେ ବିବାଦ ରହିଛି। ପେଶୱାର, ଖାଇବର ପସ୍ତୁନଖ୍ବା, ମଲକନ୍ଦ, ମର୍ଦନ, ଡେରା ଇସମାଇଲ ଖାନ, ବନ୍ନୁ, କୋହାଟ ଏବଂ ଜୋବ ପରି ପାକିସ୍ତାନ ଅଞ୍ଚଳରେ ଟିଟିପି ସଂଗଠନ ସକ୍ରିୟ ଅଛି ଏବଂ କ୍ରମାଗତ ଭାବେ ଶକ୍ତିଶାଳୀ ହେଉଛି।

Share