Categories: ଖେଳ

ଏସିଆ କପ୍‌ ପାଇଁ ଆଫଗାନିସ୍ତାନ ଦଳ

କାବୁଲ, ୨୮ା୮ (ପି.ଟି.): ଆଗାମୀ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଏସିଆ କପ୍‌ ପାଇଁ ରବିବାର ୧୭ ଜଣିଆ ଆଫଗାନିସ୍ତାନ ଦଳ ଘୋଷଣା କରାଯାଇଛି। ଅଲରାଉଣ୍ଡର କରିମ ଜନତ ୬ ବର୍ଷ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଚୟନକର୍ତ୍ତାମାନେ ପୁରୁଖା ବାମହାତୀ ବ୍ୟାଟର ନାଜିବୁଲ୍ଲା ଜାଦ୍ରାନଙ୍କୁ ଦଳରେ ସ୍ଥାନ ଦେଇଛନ୍ତି। ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ପାକିସ୍ତାନ ଓ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ଏହି ଟୁର୍ନାମେଣ୍ଟ ଲାଗି ବାମହାତୀ ଦକ୍ଷ ବ୍ୟାଟର ହସ୍‌ମାତୁଲ୍ଲା ଶାହିଦୀଙ୍କୁ ଅଧିନାୟକ ମନୋନୀତ କରାଯାଇଛି। ପାକିସ୍ତାନ ବିପକ୍ଷରେ ଦିନିକିଆ ସିରିଜ ଖେଳିଥିବା ଦୁଇ ଫାଷ୍ଟ ବୋଲର ମହମ୍ମଦ ସଲିମ ସାଫି ଓ ଅବ୍‌ଦୁଲ ରହମାନ ସେମାନଙ୍କ ସ୍ଥାନ ବଜାୟ ରଖିଥିବା ବେଳେ ଫରିଦ ଅହମ୍ମଦ ଓ ଓ୍ବାଫାଦାର ମୋମାନ୍ଦ ଦଳରୁ ବାଦ୍‌ପଡ଼ିଛନ୍ତି। ଇଞ୍ଜୁରି ଯୋଗୁ ସିମ୍‌ ବୋଲିଂ ଅଲରାଉଣ୍ଡର ଅଜମ୍‌ତୁଲ୍ଲା ଓମାରଜାଇ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଛନ୍ତି। ସୂଚନାଯୋଗ୍ୟ ୬ ବର୍ଷ ପରେ ଦିନିକିଆ ଦଳକୁ ଫେରିଥିବା ୨୫ ବର୍ଷୀୟ ଜନତ ଜାତୀୟ ଟି୨୦ ଦଳର ସଦସ୍ୟ ରହି ଆସିଛନ୍ତି।

ଆଫଗାନିସ୍ତାନ ଦଳ: ହସ୍‌ମାତୁଲ୍ଲା ଶାହିଦୀ (ଅଧିନାୟକ), ରହମାନୁଲ୍ଲା ଗୁର୍‌ବାଜ (ଉଇକେଟକିପର), ଇବ୍ରାହିମ ଜାଦ୍ରାନ, ରିଆଜ ହସନ, ରହମତ ଶାହା, ନାଜିବୁଲ୍ଲା ଜାଦ୍ରାନ, ମହମ୍ମଦ ନାବି, କରିମ୍‌ ଜନତ, ଗୁଲ୍‌ବାଦିନ ନାଇବ୍‌, ରଶିଦ ଖାଁ, ଅବଦୁଲ୍‌ ରହମନ, ଶାରାଫୁଦ୍ଦିନ ଅଶ୍ରଫ, ମୁଜିବୁର ରେହମାନ, ନୁର ଅହମଦ, ମହମ୍ମଦ ସଲିମ ସାଫି ଓ ଫଜଲ ହକ୍‌ ଫାରୁକି।

Share