Categories: ଖେଳ

ବିଶ୍ୱକପ୍‌ ସେମିଫାଇନାଲରେ ଆଶା ବଢ଼ାଇଲା ଆଫଗାନିସ୍ତାନ

ଲକ୍ଷ୍ନୌ, ୪।୧୧:ବୋଲିଂ, ଫିଲ୍ଡିଂ ଓ ବ୍ୟାଟିଂ ସବୁଥିରେ ପ୍ରଭାବୀ ପ୍ରଦର୍ଶନ କରି ଆଫଗାନିସ୍ତାନ ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ସେମିଫାଇନାଲ ଦିଗରେ ଆଉ ଗୋଟିଏ ପାଦ ଅଗ୍ରସର ହୋଇଛି। ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ୭ ଉଇକେଟରେ ନେଦରଲାଣ୍ଡ୍ସକୁ ପରାସ୍ତ କରିଛି। ନେଦରଲାଣ୍ଡ୍ସ ୪୬.୩ ଓଭରରେ ୧୭୯ ରନକରି ଅଲ୍‌ଆଉଟ ହୋଇଥିବାବେଳେ ଆଫଗାନିସ୍ତାନ ୩୧.୩ ଓଭରରେ ମାତ୍ର ୩ ଉଇକେଟ ହରାଇ ୧୮୧ ରନ ସଂଗ୍ରହ କରି ନେଇଛି। ଫଳରେ ଦଳର ରନ୍‌ ହାରରେ ମଧ୍ୟ ଉଲ୍ଲେଖନୀୟ ଉନ୍ନତି ଘଟିଛି। ୭ ମ୍ୟାଚରୁ ୪ର୍ଥ ବିଜୟ ସହ ଆଫଗାନିସ୍ତାନ ପଏଣ୍ଟ ଟେବୁଲର ୫ମ ସ୍ଥାନକୁ ଉନ୍ନୀତ ହୋଇଛି। ଫଳରେ ଦଳର ସେମିଫାଇନାଲ ପ୍ରବେଶ ଆଶା ବଢ଼ିଛି। ଅନ୍ୟପକ୍ଷରେ ୭ ମ୍ୟାଚରୁ ୫ମ ପରାଜୟ ସହ ନେଦରଲାଣ୍ଡ୍ସର ଆଶା ଶେଷ ହୋଇ ଯାଇଛି। ୩ଟି ଉଇକେଟ ନେବା ସହ ଗୋଟିଏ ରନ୍‌ଆଉଟରେ ସମ୍ପୃକ୍ତଥିବା ମହମ୍ମଦ ନବି ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ପାଇଥିଲେ।
ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ନେଦରଲାଣ୍ଡ୍ସ ମାତ୍ର ୨୭ ରନରେ ଓପନର ଓ୍ବେସଲି ବାରେସି (୧)ଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ଟପ୍‌ ଅର୍ଡରରେ ମ୍ୟାକ୍ସ ଓ’ଡୋଡ, କଲିନ ଆକରମାନ ଓ ମିଡିଲ ଅର୍ଡରରେ ସିବ୍ରାଣ୍ଡ ଇଙ୍ଗେଲବ୍ରେଚ୍‌ ସତର୍କତାର ସହ ବ୍ୟାଟିଂ କରି ଇନିଂସ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ମାତ୍ର ଆଫଗାନିସ୍ତାନର ବୋଲିଂ ଓ ଫିଲ୍ଡିଂ ଅତି ଚମତ୍କାର ହୋଇଥିଲା। ଫଳରେ ସେଟ୍‌ ହୋଇଥିବା ଏହି ତିନିଟ ବ୍ୟାଟରଙ୍କ ସମେତ ମୋଟ ୪ ଖେଳାଳି ରନ୍‌ଆଉଟ ହୋଇଥିଲେ। ଫଳରେ ଦଳ ପୂରା ୫୦ ଓଭର ତିଷ୍ଠିବା ସମ୍ଭବ ହୋଇ ନ ଥିଲା। ଅର୍ଦ୍ଧଶତକ ହାସଲକାରି ଇଙ୍ଗେଲବ୍ରେଚ୍‌ ଦଳ ପକ୍ଷରୁ ସର୍ବାଧିକ ୫୮ ରନ କରିବାକୁ ସକ୍ଷମ ହୋଇଥିଲେ। ଓ’ଡୋଡ୍‌ ୪୨ ଓ ଆକରମାନ ୨୯ ରନରେ ପ୍ୟାଭିଲିୟନ ଫେରିଥିଲେ। ଶେଷଭାଗ ବ୍ୟାଟରଙ୍କ ବିଫଳତା ଯୋଗୁ ନେଦରଲାଣ୍ଡ୍ସ ଇନିଂସ ୪୬.୩ ଓଭରରେ ୧୭୯ରେ ସୀମିତ ରହି ଯାଇଥିଲା। ଆଫଗାନିସ୍ତାନର ୬ ଜଣ ଯାକ ବୋଲରଙ୍କ ଇକୋନୋମି ହାର ବଢ଼ିଆ ରହିଥିଲା। ମହମ୍ମଦ ନବି ସର୍ବାଧିକ ୩ଟି, ନୁର୍‌ ଅହମଦ ୨ଟି ଓ ମୁଜିବ ଉର୍‌ ରହମନ ଗୋଟିଏ ଉଇକେଟ ନେଇଥିଲେ।
ଟାର୍ଗେଟ ବଡ଼ ନ ଥିବାରୁ ଆଫଗାନିସ୍ତାନ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲା। ତେବେ ୨୭ ରନରେ ପ୍ରଥମ ଏବଂ ୫୫ ରନରେ ଦ୍ୱିତୀୟ ଉଇକେଟ ହରାଇ ସଂକଟରେ ପଡ଼ିଥିଲା। ମାତ୍ର ରହମତୁଲ୍ଲା ଶାହା ଓ ଅଧିନାୟକ ହସମତୁଲ୍ଲା ଶାହିଦି ଅର୍ଦ୍ଧଶତକ ହାସଲ କରିବା ସହ ତୃତୀୟ ଉଇକେଟରେ ୭୪ ରନର ଭାଗୀଦାରି ଗଢ଼ି ଦଳର ବିଜୟକୁ ନିଶ୍ଚିତ କରି ଦେଇଥିଲେ। ରହମତ ୫୪ ବଲ୍‌ରୁ ୫୨ (୮ ଚୌକା) ରନକରି ଆଉଟ ହେବାରୁ ଯୋଡ଼ି ଭାଙ୍ଗିଥିଲା। ମାତ୍ର ସମ୍ପୂର୍ଣ୍ଣ ଫର୍ମରେ ଥିବା ହସମତୁଲ୍ଲା ଅସମାପ୍ତ ଚତୁର୍ଥ ଉଇକେଟରେ ଆଜମତୁଲ୍ଲା ଓମାରଜାଇଙ୍କ ସହ ୫୨ ରନ ଯୋଗକରି ଆହୁରି ୧୧୧ ବଲ୍‌ ବାକିଥାଇ ଦଳକୁ ବିଜୟୀ କରିଥିଲେ। ହସମତୁଲ୍ଲା ୫୬ (୬ ଚୌକା) ଓ ଓମାରଜାଇ ୨୮ ବଲ୍‌ରୁ ୩୧ ରନରେ ଅପରାଜିତ ରହିଥିଲେ।

Share