Categories: ଖେଳ

ବିଶ୍ୱକପ୍‌ ଲାଗି ଆଫଗାନିସ୍ତାନର ଦଳ ଘୋଷଣା: ୨ ବର୍ଷ ପରେ ଦିନିକିଆ ଟିମ୍‌କୁ ଫେରିଲେ ‘କୋହଲିଙ୍କ ଶତ୍ରୁ’

ନୂଆଦିଲ୍ଲୀ,୧୪।୯: ଅକ୍ଟୋବର ୫ରୁ ଭାରତରେ ଆଇସିସି କ୍ରିକେଟ ବିଶ୍ୱକପ୍‌ ୨୦୨୩ ଆରମ୍ଭ ହେବ। ଏହା ନଭେମ୍ବର ୧୯ ଯାଏ ଚାଲିବ। ଏହି ଟୁର୍ନାମେଣ୍ଟ ଲାଗି ଆଫଗାନିସ୍ତାନ ୧୫ ଜଣିଆ ଦଳ ଘୋଷଣା କରିଛି। ଏହି ଟିମ୍‌ରେ ନବୀନ-ଉଲ୍‌-ହକ ପ୍ରତ୍ୟାବର୍ତ୍ତନ କରିଥିବା ଦେଖାଯାଇଛି। ତେବେ ଆଇପିଏଲ୍‌ ୨୦୨୩ରେ ନବୀନଙ୍କ ସହ ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ବିବାଦ ଚର୍ଚ୍ଚାରେ ରହିଥିଲା । ପରେ କିନ୍ତୁ ସେ ଏସିଆ କପ୍‌ ଲାଗି ଆଫଗାନିସ୍ତାନ ଦଳରେ ସ୍ଥାନ ପାଇ ନ ଥିଲେ। ଏହାକୁ ନେଇ ସେ ଦୁଃଖୀ ହୋଇଯାଇଥିଲେ। ଏବେ ସେ ଦଳକୁ ଫେରିବା ନେଇ ଖୁସିବ୍ୟକ୍ତ କରିଛନ୍ତି।

୧୫ ସଦସ୍ୟ ବିଶିଷ୍ଟ ଆଫଗାନିସ୍ତାନ ଟିମ୍‌ରେ ୪ ପରିବର୍ତ୍ତନ କରାଯାଇଛି। ହାଶମତୁଲ୍ଲା ଶାହିଦିଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି। ସେହିଭଳି ଏସିଆ କପ୍‌ରେ ଦଳର ଅଂଶ ନ ଥିବା ୨୩ ବର୍ଷୀୟ ଅଲରାଉଣ୍ଡର ଅଜମାତୁଲ୍ଲା ଓମାରଜାଇଙ୍କୁ ମଧ୍ୟ ବିଶ୍ୱକପ୍‌ ଦଳରେ ସ୍ଥାନ ମିଳିଛି। ନବୀନ ଦୁଇ ବର୍ଷ ପରେ ଆଫଗାନିସ୍ତାନ ଦିନିକିଆ ଟିମ୍‌କୁ ଫେରିଛନ୍ତି। ହେଲେ ଏସିଆ କପ୍‌ରେ ଭଲ ପ୍ରଦର୍ଶନ କରିଥିବା ବରିଷ୍ଠ ଅଲରାଉଣ୍ଡର ଗୁଲବାଦ୍ଦିନ ନଇବଙ୍କୁ ଦଳରେ ସ୍ଥାନ ମିଳିନାହିଁ।

କହିରଖୁଛୁ, ୨୦୨୩ ମେ ୧ରେ ଲକ୍ଷ୍ନୌରେ ହୋଇଥିବା ଆର୍‌ସିବି ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ମଧ୍ୟରେ ମୁକାବିଲା ପରେ ନବୀନ ଚର୍ଚ୍ଚାକୁ ଆସିଥିଲେ। ଏହି ମ୍ୟାଚ୍‌ରେ ବିରାଟଙ୍କ ସହ ତାଙ୍କର କଥା କଟାକଟି ହୋଇଥିଲା। ପରେ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଜବରଦସ୍ତ ବିବାଦର ସୂତ୍ରପାତ ହୋଇଥିଲା। ଏବେ ନବୀନ ବିଶ୍ୱକପ୍‌ ଦଳରେ ସାମିଲ ହେବା ପରେ ଭାରତ-ଆଫଗାନିସ୍ତାନ ମଧ୍ୟରେ ଦିଲ୍ଲୀରେ ହେବାକୁ ଥିବା ବିଶ୍ୱକପ୍‌ ମ୍ୟାଚ୍‌କୁ ନେଇ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଛି।

Share