ଆଫଗାନିସ୍ତାନ ଭବିଷ୍ୟତ ତାଲିବାନ ଶାସନ ଉପରେ ନିର୍ଭର କରିବ: ଜାତିସଂଘ…

ଜେନେଭା,୧୧।୯: ଆଫଗାନିସ୍ତାନର ଭବିଷ୍ୟତ ତାଲିବାନ ଶାସନ ଉପରେ ନିର୍ଭର କରିବ ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି। ଜାତିସଂଘ ସୁରକ୍ଷା ପରିଷଦରେ ଆଫଗାନିସ୍ତାନ ସହାୟତା ମିଶନର ପ୍ରମୁଖ ଡେବୋରାହ ଲିୟୋନ୍ସ୍‌ ଏଭଳି କହିଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ଶୈଳୀ ନୂଆ ସରକାରଙ୍କ ଶାସନ ଉପରେ ନିର୍ଭରଶୀଳ ବୋଲି ସେ କହିଛନ୍ତି।

ସମ୍ପ୍ରତି ଆଫଗାନିସ୍ତାନର ସ୍ଥିତି ତାଲିବାନ ଦଖଲ ପରେ ସଙ୍କଟ ଦେଇ ଗତି କରୁଛି। ଦେଶରେ ଏବେ ନରସଂହାର, ମହିଳା ନିର୍ଯାତନା, ମୌଳିକ ମାନବୀୟ ସ୍ବାଧୀନତା ଏବଂ ଅଧିକାର ପ୍ରତିବନ୍ଧକ ଆଦି ଜାରି ରହିଛି। ଏପରିସ୍ଥଳେ ତାଲିବାନ ସରକାରଙ୍କ ସହିତ କିଭଳି ଭାବେ ଆଲୋଚନା କରାଯିବ ତାହା ଜାତିସଂଘ ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି ବୋଲି ସେ କହିଛନ୍ତି।

ତାଲିବାନ ବନ୍ଧୁକ ଧରି କ୍ଷମତା ଦଖଲ କରିଲେ ମଧ୍ୟ ଅନ୍ତର୍ଜାତୀୟସ୍ତରରେ ବିଶ୍ୱାସ ହାସଲ କରି ପାରି ନାହିଁ। ନୂଆ ସରକାରରେ ସଂଖ୍ୟାଲଘୁ ଅବା ଅଣ ତାଲିବାନ ସଦସ୍ୟଙ୍କୁ ସାମିଲ କରାଯାଇ ନାହିଁ। ସେହିପରି ଘରଘର ବୁଲି ତାଲିବାନ ସଦସ୍ୟମାନେ ଆଫଗାନିସ୍ତାନର ରାଷ୍ଟ୍ରୀୟ ସୁରକ୍ଷା କର୍ମଚାରୀଙ୍କୁ ଖୋଜିବା ଜାତିସଂଘର ଚିନ୍ତାକୁ ବଢ଼ାଇ ଦେଇଥିବା ସେ କହିଛନ୍ତି। ସେହିପରି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ହେଉଥିବା ଅତ୍ୟାଚାର ତାଲିବାନର ପ୍ରତିଶ୍ରୁତି ପ୍ରତି ପ୍ରଶ୍ନଚିହ୍ନ ଉଠାଇଥିବା ସେ କହିଛନ୍ତି।

Share