Categories: ଖେଳ

ଆଫଗାନିସ୍ତାନର ବୃହତ୍‌ ବିଜୟ

ଗୁଏନା,୫ା୬(ପି.ଟି.): ଟି୨୦ ବିଶ୍ୱକପରେ ଉଗାଣ୍ଡା ବିପକ୍ଷରେ ୧୨୫ ରନର ବୃହତ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଆଫଗାନିସ୍ତାନ। ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୨୦ ଓଭରରେ ୫ ଉଇକେଟ ହରାଇ ୧୮୩ ରନ୍‌ କରିଥିଲା। ଜବାବରେ ଫଜଲ୍ଲକ ଫାରୁକି ଚଳିତ ବିଶ୍ୱକପର ପ୍ରଥମ ୫ ଉଇକେଟ ସଫଳତା ନେବାରୁ ଉଗାଣ୍ଡା ମାତ୍ର ୫୮ ରନ୍‌ରେ ଅଲଆଉଟ ହୋଇଥିଲା। ପ୍ରୋଭିନ୍ସ ଷ୍ଟାଡିୟମରେ ଉଗାଣ୍ଡା ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିଲା। ଆଫଗାନିସ୍ତାନ ପକ୍ଷରୁ ଦୁଇ ଓପନର ରହମାନୁଲ୍ଲା ଗୁରବାଜ(୭୬) ଓ ଇବ୍ରାହିମ୍‌ ଜଦ୍ରାନ(୭୦) ପ୍ରଥମ ଉଇକେଟରେ ୧୫୪ ରନ୍‌ ଯୋଡ଼ିଥିଲେ। ଗୁରବାଜ ୪୫ ବଲ୍‌ ଖେଳି ୪ଟି ଲେଖାଏ ଛକା ଓ ଚୌକା ମାରିଥିଲେ। ଅନ୍ୟପକ୍ଷରେ ଇବ୍ରାହିମ୍‌ ୪୬ ବଲ୍‌ ଖେଳି ୯ ଚୌକା ଓ ୧ ଛକା ମାରିଥିଲେ। ମାତ୍ର ୪ ବଲ୍‌ ଓ ୨ ରନ୍‌ ବ୍ୟବଧାନରେ ଉଭୟ ଓପନର ଆଉଟ ହେବା ପରେ ଆଫଗାନିସ୍ତାନର ରନ୍‌ ଗତି ସାମାନ୍ୟ ଧିମେଇ ଯାଇଥିଲା।୧୫ ଓଭରରେ ୧୫୦ ରନ୍‌ ପାର କରିଥିଲେ ମଧ୍ୟ ଦଳ ଅନ୍ତିମ ୫ ଓଭରରେ ମାତ୍ର ୩୩ ରନ୍‌ କରିଥିଲା। ନଜିବୁଲ୍ଲା ଜଦ୍ରାନ୍‌ ୨, ଗୁଲବଦିନ ନାଇବ ୪ ଓ ଅଜମତଉଲ୍ଲା ଓମାରଜାଇ ମାତ୍ର ୫ ରନ୍‌ କରିଥିଲେ। ମହମ୍ମଦ ନବି ୧୪ ଓ ରଶିଦ୍‌ ଖାନ୍‌ ୨ ରନ୍‌ରେ ଅପରାଜିତ ରହିଥିଲେ। ଉଗାଣ୍ଡା ପକ୍ଷରୁ ବ୍ରାୟାନ ମସାବା ଓ କସମାସ କ୍ୱଓ୍ବୋଟାଓ୍ବା ଦୁଇଟି ଲେଖାଏ, ଅଳ୍ପେଶ ରାମଜାନି ଗୋଟିଏ ଉଇକେଟ ନେଇଥିଲେ।
ଜବାବରେ ଉଗାଣ୍ଡା ୧୬ ଓଭରରେ ୫୮ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା। ଦଳ ପକ୍ଷରୁ ରବିନସନ୍‌ ଓବୁୟା ସର୍ବାଧିକ ୧୪ ଓ ରିଜତ ଅଲୀ ଶାହ ୧୧ ରନ୍‌ କରିଥିଲେ। ଏହି ୨ ଖେଳାଳିଙ୍କୁ ବାଦ ଦେଲେ ଅନ୍ୟ କେହି ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଫଜଲ୍ଲକ ଫାରୁକି ଚଳିତ ବିଶ୍ୱକପର ପ୍ରଥମ ୫ ଉଇକେଟ ସଫଳତା ଅର୍ଜନ କରି ଉଗାଣ୍ଡାର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନବୀନ ଉଲ୍‌ ହକ ଓ ରଶିଦ୍‌ ଖାନ୍‌ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଫଜଲ୍ଲକ ଫାରୁକିଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା
ସଂକ୍ଷିପ୍ତ ସ୍କୋର
ଆଫଗାନିସ୍ତାନ ୨୦ ଓଭରରେ ୧୮୩/୫ (ରହମାନୁଲ୍ଲା ଗୁରବାଜ-୭୬, ଇବ୍ରାହିମ୍‌ ଜଦ୍ରାନ-୭୦, ମହମ୍ମଦ ନବି-୧୬, ବ୍ରାୟାନ ମସାବା-୨/୨୧, କସମାସ କ୍ୱଓ୍ବୋଟାଓ୍ବା-୨/୨୫, ଅଳ୍ପେଶ ରାମଜାନି-୧/୩୩)। ଉଗାଣ୍ଡା ୧୬ ଓଭରରେ ୫୮/୧୦ (ରବିନସନ୍‌ ଓବୁୟା-୧୪, ରିଜତ ଅଲୀ ଶାହ-୧୧,ଫଜଲ୍ଲକ ଫାରୁକି-୫/୯, ନବୀନ ଉଲ୍‌ ହକ-୨/୪, ରଶିଦ୍‌ ଖାନ-୨/୧୨)।

Share