କନ୍ୟା ବିକି ଚଳୁଛନ୍ତି ଆଫଗାନ୍‌

କାବୁଲ, ୧୪ା୧୦: ଦାରିଦ୍ର୍ୟ, ବେରୋଜଗାରୀ, ଗମ୍ଭୀର ଅର୍ଥନୀତି ସଙ୍କଟ ଯୋଗୁ ଆଫଗାନିସ୍ତାନର ଘୁର୍‌ ପ୍ରାନ୍ତରେ ସ୍ଥିତି ଉଦ୍‌ବେଗଜନକ ରହିଛି। ଅର୍ଥ, ଘରୋଇ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଆଦି ବଦଳରେ ନିଜ ନାବାଳିକା ଝିଅ ଏପରିକି ଶିଶୁକନ୍ୟାଙ୍କୁ ମଧ୍ୟ ବିକି ଦେଉଛନ୍ତି ସେଠାକାର ବାସିନ୍ଦା। ଦାରିଦ୍ର୍ୟ ଭିତରେ ପେଷି ହୋଇ ବାଲ୍ୟବିବାହରେ ଛନ୍ଦି ହେଉଛନ୍ତି ଶହ ଶହ ସଂଖ୍ୟାରେ ନାବାଳିକା। ନିକଟରେ ଏକ ପରିବାର କିଛି ଅର୍ଥ, ସାମଗ୍ରୀ, ଅସ୍ତ୍ରଶସ୍ତ୍ର ପାଇଁ ନିଜ ୧ ବର୍ଷର ଶିଶୁକନ୍ୟାକୁ ବିକ୍ରି କରିଦେବା ଭଳି ସଂଗିନ୍‌ ଖବର ସାମ୍‌ନାକୁ ଆସିବା ପରେ ସେଠାରେ ମାନବୀୟ ସଙ୍କଟ କେତେ ଗମ୍ଭୀର ଏବଂ ଶିଶୁକନ୍ୟାଙ୍କ ଭବିଷ୍ୟତ କ’ଣ ତାହା ସହଜେ ଅନୁମେୟ।
ଅନୁସାରେ, ଘୁର୍‌ ପ୍ରାନ୍ତରେ ଅଧିକାଂଶ ଲୋକ ସେମାନଙ୍କ କନ୍ୟାଙ୍କୁ ମାତ୍ର କିଛି ସାମଗ୍ରୀ ତଥା ଅର୍ଥ ବଦଳରେ ବିକ୍ରି କରିଦେଉଛନ୍ତି। କନ୍ୟା କିଣୁଥିବା ବ୍ୟକ୍ତିଙ୍କଠାରୁ ସେମାନେ ୧ ଲକ୍ଷରୁ ୨.୫ ଲକ୍ଷ ଆଫଗାନ୍‌ ମୁଦ୍ରା ଦାବି କରୁଛନ୍ତି। ଯଦି ଏହି ମାତ୍ରାରେ ଅର୍ଥ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଖରେ ନ ଥାଏ, ତେବେ ସେ କନ୍ୟାଙ୍କ ପରିବାରକୁ କିଛି ଅସ୍ତ୍ରଶସ୍ତ୍ର କିମ୍ବା ଜୀବନଧାରଣ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଦେଉଛନ୍ତି। ରାଜଧାନୀ କାବୁଲରେ ମଧ୍ୟ ଏପରି ଘଟଣା ଘଟୁଥିବାବେଳେ ଗ୍ରାମାଞ୍ଚଳରେ ତାହା ଅଧିକ ମାତ୍ରାରେ ଦେଖିବାକୁ ମିଳିଛି। ପୂର୍ବରୁ ଆଫଗାନିସ୍ତାନର କେତେକ ଅଞ୍ଚଳରେ ଅର୍ଥ ବଦଳରେ କନ୍ୟା ବିକ୍ରି ଖବର ସାମ୍‌ନାକୁ ଆସିଥିଲେ ହେଁ ତାଲିବାନ୍‌ ହାତକୁ ଆଫଗାନିସ୍ତାନ ଯିବାପରେ ଏହି ସ୍ଥିତି ଉତ୍କଟ ହୋଇଛି। ନିକଟରେ ‘ସେଭ୍‌ ଦି ଚିଲ୍‌ଡ୍ରେନ୍‌’ ପକ୍ଷରୁ ହୋଇଥିବା ଏକ ସର୍ବେକ୍ଷଣ ଅନୁସାରେ, ବାଲ୍ୟବିବାହ ଯୋଗୁ ସମଗ୍ର ବିଶ୍ୱରେ ଦିନକୁ ୬୦ ଝିଅଙ୍କ ଜୀବନ ଯାଉଛି। କମ୍‌ ବୟସରେ ଗର୍ଭବତୀ ହେବା ଯୋଗୁ ସେମାନେ ଗମ୍ଭୀର ସ୍ବାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଏହି କାରଣରୁ ବର୍ଷକୁ ପ୍ରାୟ ୨୨ ହଜାର ବାଳିକା ମୃତ୍ୟୁମୁଖରେ ପଡ଼ୁଛନ୍ତି। ସେହିପରି ଅନେକେ ଯୌନ ନିର୍ଯାତନା, ଘରୋଇ ଏବଂ ଲିଙ୍ଗଗତଭିତ୍ତିକ ହିଂସାର ସମ୍ମୁଖୀନ ହେଉଛନ୍ତି।

Share