ମୋଦିଙ୍କ ଭାଷଣକୁ ଆଫ୍ରିକୀୟ-ଆମେରିକୀୟ ଅଭିନେତ୍ରୀଙ୍କ ସମର୍ଥନ

ନୂଆଦିଲ୍ଲୀ,୧୧।୮: ମଣିପୁର ପ୍ରସଙ୍ଗରେ ଲୋକ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜବାବ ରଖିଛନ୍ତି। ପ୍ରଧାନମନ୍ତ୍ରୀ ଗୃହରେ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ବିବୃତି ରଖିଥିଲେ। ଦ୍ୱିତୀୟାର୍ଦ୍ଧରେ ସେ ମଣିପୁର ସ୍ଥିତି ଉପରେ କହିଥିଲେ, ଶାନ୍ତି ଫେରାଇ ଆଣିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି। ମଣିପୁର ହେଉଛି ଉତ୍ତର ପୂର୍ବାଞ୍ଚଳର ହୃଦୟ। ସେଠାରେ ଶୀଘ୍ର ବିକଶର ପଥ ପୁଣି ପ୍ରଶସ୍ତ ହେବ। ମହିଳା ବିରୋଧୀ ଅପରାଧ ଘଟାଉଥିବା ବ୍ୟକ୍ତିମାନେ କଠୋର ଦଣ୍ଡ ପାଇବେ ବୋଲି ପ୍ରଧାନମନ୍ତ୍ରୀ ଗୃହକୁ ଆଶ୍ୱାସନା ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ନେଇ ବିରୋଧୀଦଳ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରୁଥିବାବେଳେ ଆଫ୍ରିକୀୟ-ଆମେରିକୀୟ ଅଭିନେତ୍ରୀ ତଥା ଗାୟିକା ମେରି ମିଲବେନ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣକୁ ସମର୍ଥନ କରିଛନ୍ତି।
ମିଲବେନ ଏକ ଟୁଇଟ୍‌ରେ କହିଛନ୍ତି ଯେ, ସତ୍ୟ ହେଉଛି, ଭାରତର ନେତାଙ୍କ ଉପରେ ବିଶ୍ୱାସ ରହିଛି। ମଣିପୁରର ମା’, ଝିଅ ଏବଂ ମହିଳାମାନେ ନ୍ୟାୟ ପାଇବେ। ପ୍ରଧାନମନ୍ତ୍ରୀ ମୋଦି ସର୍ବଦା ତୁମର ସ୍ବାଧୀନତା ପାଇଁ ଲଢିବେ। ଯେଉଁ ଦଳ ଏହାର ସାଂସ୍କୃତିକ ଐତିହ୍ୟକୁ ଅପମାନିତ କରେ। ଦେଶର ପିଲାମାନଙ୍କୁ ଜାତୀୟ ସଂଗୀତ ଗାନରୁ ବଞ୍ଚିତ କରନ୍ତି। ତାହା ନେତୃତ୍ୱ ନୁହେଁ, ତାହା ହେଉଛି ନୀତିହୀନତା। ମିଲବେନ ଆହୁରି ମଧ୍ୟ କହିଛନ୍ତି ଯେ ଅସାଧୁ ସାମ୍ବାଦିକତା ମିଥ୍ୟା କାହାଣୀକୁ ପ୍ରକାଶ କରିବ। କୌଣସି ତଥ୍ୟ ବିନା ବିରୋଧୀ ଜୋରରେ ପାଟି କରିବେ।
ଜୁନ ମାସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ସମୟରେ ମିଲବେନ ୱାଶିଂଟନରେ ଭାରତର ଜାତୀୟ ସଂଗୀତ ଗାନ କରିଥିଲେ। ପରେ ସେ ପାଦ ଛୁଇଁ ମୋଦିଙ୍କୁ ଅଭିବାଦନ ଜଣାଇଲେ।

Share