୧୨ ଦିନ ପରେ କିଭ୍‌ ଉପରେ ଆକ୍ରମଣ କଲା ରୁଷିଆ…

ମସ୍କୋ,୩।୭ : ୧୨ ଦିନ ପରେ ରୁଷିଆ ସେନା ୟୁକ୍ରେନର ରାଜଧାନୀ କିଭ ଉପରେ ଏୟାର ଷ୍ଟ୍ରାଇକ କରିଛି। ରୁଷିଆର ସୈନ୍ୟବାହିନୀ ଗୋଟିଏ ପରେ ଗୋଟିଏ ଡ୍ରୋନ ପଠାଇଥିଲେ। କିନ୍ତୁ ସମସ୍ତଙ୍କୁ ଗୁଳି କରି ଖସାଇ ଦିଆଯାଇଥିଲା। କିଭର ରାଜ୍ୟପାଳ ରୁସଲାନ କ୍ରାଭଚେଙ୍କୋ କହିଛନ୍ତି ଡ୍ରୋନ ଖସିବା ଯୋଗୁଁ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଏହା ବ୍ୟତୀତ କୌଣସି କ୍ଷତି ହୋଇନାହିଁ ।

ୟୁକ୍ରେନ ବାୟୁସେନା ଦାବି କରିଛି ରବିବାର ରୁଷିଆର ସେନା ଦ୍ୱାରା ଆଠଟି ଡ୍ରୋନ ଏବଂ ତିନୋଟି କାଲିବର କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଛି, କିନ୍ତୁ ସେମାନଙ୍କୁ ବାୟୁରେ ଗୁଳି କରି ନଷ୍ଟ କରାଯାଇଛି। ରୁଷିଆର ବିମାନ ଅନ୍ୟ ୨୭ ଟି ସ୍ଥାନ ଉପରେ ମଧ୍ୟ ବୋମା ବିସ୍ଫୋରଣ କରିଥିଲା। ୟୁକ୍ରେନ ଯୁଦ୍ଧର ୧୬ ମାସରେ ଏହା ପ୍ରଥମ ଥର ପାଇଁ ରୁଷିଆ ସେନା ୧୨ ଦିନ ଧରି କିଭ ଉପରେ ଆକ୍ରମଣ କରି ନ ଥିଲେ।

ପୂର୍ବ ୟୁକ୍ରେନ ଏବଂ ଖେରସନ ପ୍ରଦେଶରେ ଦୁଇ ଦେଶର ସୈନ୍ୟବାହିନୀ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ସେଠାରେ ହୋଇଥିବା କ୍ଷୟକ୍ଷତି ବିଷୟରେ କୌଣସି ସୂଚନା ମିଳି ନାହିଁ। ଏହି ସମୟରେ, ବାଖମୁଟ ସହରକୁ ପୁନଃଉଦ୍ଧାର କରିବା ପାଇଁ ୟୁକ୍ରେନ ସେନା ଦୁଇ ପାର୍ଶ୍ୱରୁ ଆକ୍ରମଣ ଆରମ୍ଭ କରିଛି। ସେଠାରେ ପୁଣି ଏକ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଛି।

Share