୧୨ ଘଣ୍ଟା ପରେ କରୋନା ମୃତକଙ୍କଠାରୁ ବ୍ୟାପି ନ ଥାଏ ସଂକ୍ରମଣ: ଏମ୍ସ୍‌ ବିଶେଷଜ୍ଞ…

ନୂଆଦିଲ୍ଲୀ,୨୭।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ସଙ୍କଟ ସୃଷ୍ଟି କରିଛି। ଏପରିସ୍ଥଳେ କରୋନା ମୃତକଙ୍କଠାରୁ ସଂକ୍ରମଣ ହେବ କି ନାହିଁ ସେ ନେଇ ବିଶେଷଜ୍ଞ ସୂଚନା ଦେଇଛନ୍ତି। ଗତ ଏକ ବର୍ଷ ଧରି ଏହା ଉପରେ ଗବେଷଣା ଜାରି ରହିଥିଲା। ଏନେଇ ଏମ୍ସ୍‌ର ପକ୍ଷରୁ କୁହାଯାଇଛି ଯେ, ୧୨ରୁ ୨୪ ଘଣ୍ଟା ପରେ କରୋନା ମୃତକଙ୍କ ଶରୀରରୁ ସଂକ୍ରମଣ ହେବାର କୌଣସି ଆଶଙ୍କା ନାହିଁ। ମୃତକଙ୍କ ନାକ ଅବା ଗଳାରୁ ସଂକ୍ରମଣ ଏହି ସମୟ ପରେ ହୋଇ ନ ଥାଏ ବୋଲି ଏମ୍ସ୍‌ର ଫୋରେନ୍ସିକ୍‌ ବିଭାଗ ପ୍ରମୁଖ ଡାକ୍ତର ସୁଧୀର ଗୁପ୍ତା ପ୍ରକାଶ କରିଛନ୍ତି। ୧୨ରୁ ୨୪ ଘଣ୍ଟା ପରେ କରୋନା ଆକ୍ରାନ୍ତଙ୍କ ମୃତ ଦେହରେ ଭୂତାଣୁ ଆଉ ସକ୍ରିୟ ରହି ନ ଥାଏ। ତେବେ କୌଣସି ପ୍ରକାର ସଂକ୍ରମଣ ରୋକିବା ପାଇଁ କରୋନା ଆକ୍ରାନ୍ତଙ୍କ ମୃତଦେହର ସମସ୍ତ ଓରାଲ ଏବଂ ନାଜାଲ କ୍ୟାଭିଟିକୁ କନ୍ଦ କରି ଦିଆଯାଇଥାଏ। ଫଳରେ ଏହି ବାଟେ କୌଣସି ତରଳ ପଦାର୍ଥ ବାହାରକୁ ଆସିବାର ଆଶଙ୍କା ନ ଥାଏ। ମାତ୍ର ଏଭଳି ମୃତଦେହର ଅନ୍ତିମ ସଂସ୍କାର ସମୟରେ ସ୍ବାସ୍ଥ୍ୟକର୍ମୀ ଅବା ପରିବାର ସଦସ୍ୟଙ୍କୁ ପିପିଇ କିଟ୍‌ ସହିତ ମାସ୍କ୍‌ ଏବଂ ଫେସ୍‌ କଭର ପିନ୍ଧିବାକୁ ପରାମର୍ଶ ଦିଆଯାଇଥାଏ ବୋଲି ସେ କହିଛନ୍ତି।

Share