ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କ ସହ ମିଶି ରଥ ଟାଣିଲେ ଏମପି ସୁକାନ୍ତ ପାଣିଗ୍ରାହୀ

ଦାରିଙ୍ଗବାଡ଼ି,୭ା୭(ଅରୁଣ ସାହୁ): ପବିତ୍ର ରଥଯାତ୍ରା ପାଇଁ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡ଼ିଛି। ଉକ୍ତ ବ୍ଲକର ସିମନବାଡ଼ି ସମେତ ଗବାଟବାଡ଼ି, ସୁଗାନକେତା, ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଗଦାପୁର ଏବଂ କାଟିଙ୍ଗିଆଠାରେ ବଡ଼ ଧୂମ୍‌ଧାମରେ ପାଳନ କରାଯାଉଥିବା ବେଳେ ଦୁର୍ଗମ ଅପହଞ୍ଚ ଗବାଟବାଡ଼ି ଗ୍ରାମରେ ନିଆରା ଢଙ୍ଗରେ ପାଳନ ହେଲା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା। ଗବାଟବାଡ଼ିଠାରେ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଜପତିଙ୍କ ରୂପରେ ରଥରେ ଛେରାପହଁରା କରିବା ସହ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ସେବା କରିଥିଲେ ପରେ ସେ ଅଞ୍ଚଳବାସୀଙ୍କ ସହ ମିଶି ରଥ ଟାଣିଥିଲେ।

ପ୍ରକାଶ ଯେ, ଗବାଟବାଡ଼ି ଏକ ଅନୁସୂଚିତ ଜନଜାତି ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଗତ ୧୨ ବର୍ଷ ହେଲା ରଥଯାତ୍ରା ପାଳନ କରାଯାଉଛି। ସକାଳୁ ଗ୍ରାମବାସୀ ଭାଗବତ ଟୁଙ୍ଗିରେ ୩ ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ପରେ ବିରାଟ ଶୋଭାଯାତ୍ରାରେ ସଂକୀର୍ତ୍ତନ କରି ଘରଘର ବୁଲିଥିଲେ ଗ୍ରାମର ଲୋକମାନେ ଘର ସମ୍ମୁଖରେ ଝୋଟି ପକାଇ କୁମ୍ଭ ରଖି ୩ ଠାକୁରଙ୍କୁ ସ୍ବାଗତ କରି ନିଜ ଘର ସମ୍ମୁଖରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ଗ୍ରହଣ କରିଛନ୍ତି । ପରେ ୩ ଠାକୁର ଆସ୍ଥାୟୀ ମଣ୍ଡପରେ ପହଞ୍ଚିଥିଲେ। ସେଠାରେ ମୁଖ୍ୟଅତିଥି ଏମ୍‌ପି ପହଞ୍ଚି ପୂଜାର୍ଚ୍ଚନା କରି ୩ ଠାକୁରଙ୍କୁ ରଥକୁ ସ୍ବାଗତ କରିଥିଲେ। ସେଠାରେ ଛେରାପହଁରା କରିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ରଥଟଣା ଆରମ୍ଭରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ କିଛି ସମୟ ରଥଟଣା କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। କାର୍ଯ୍ୟକ୍ରମରେ ଅଞ୍ଚଳବାସୀଙ୍କ ସମେତ ଜିଲା ତଥା ଜିଲା ବାହାରୁ ବହୁ ଶ୍ରଦ୍ଧାଳୁ କାର୍ଯ୍ୟକ୍ରମରେ ଯୋଗଦେଇ ରଥ ଟାଣିଥିଲେ। ସେହିପରି ଏମ୍‌ପି ଅଞ୍ଚଳବାସୀଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରି ସେମାନଙ୍କ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମରେ ଜାତୀୟ ଜନଜାତି ଲୋକକଳା ସଂଯୋଜକ ନିରଞ୍ଜନ ପଣ୍ଡା, ଭାଜପା ବରିଷ୍ଠ ନେତା ନେତ୍ର ମାନସେଠ, ଦାରିଙ୍ଗବାଡ଼ି ମଣ୍ଡଳ ସଭାପତି ସନ୍ତୋଷ ସାହୁ, ହରେନ ସାହୁ, ମିଟୁ ସାହୁ, ପ୍ରଭାକର ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର, ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର, ତହସିଲଦାର ଶରତ ଶବର ପ୍ରମୁଖ ଉପସ୍ଥିତ ଥିଲେ।

Share