୧୩ ବର୍ଷ ପରେ ବଢ଼ିଲା କନ୍ଧମାଳ ହଳଦୀ ଦର

ଦାରିଙ୍ଗବାଡି,୧ା୮ (ଅରୁଣ ସାହୁ): ବିଶ୍ୱ ବିଖ୍ୟାତ କନ୍ଧମାଳ ହଳଦୀର ଦର ୧୩ବର୍ଷ ପରେ ବୃଦ୍ଧି ପାଇଛି। ଶୁଖିଲା ହଳଦୀ କେଜି ପ୍ରତି ଦର ସୋମବାର ସୁଦ୍ଧା ୧୦୦ଟଙ୍କାରେ ପହଞ୍ଚିଛି। ଆଗକୁ ଆହୁରି ଦର ବୃଦ୍ଧି ହେବା ବ୍ୟବସାୟୀ ମହଲରେ ଆଶଙ୍କା କରାଯାଇଛି। ତେବେ ଦର ବୃଦ୍ଧିି ଚାଷୀଙ୍କୁ କୌଣସି ଫାଇଦା ଦେଇନାହିଁ। ଚାଷୀ ଡିସେମ୍ବରରେ ହଳଦୀ ଅମଳ କରି ମେ ମାସ ମଧ୍ୟରେ କିଲୋ ପିଛା ୪୦ରୁ ୫୦ ଟଙ୍କାରେ ବିକି କ୍ଷତି ସହିଥିବା ବେଳେ ଏବେ ଏହାକୁ ଗଚ୍ଛିତ ରଖିଥିବା ବ୍ୟବସାୟୀ ମାଲାମାଲ ହେଉଛନ୍ତି। କେତେଜଣ ବ୍ୟବସାୟୀ ନୂଆ ଦରରେ ହଳଦୀ କିଣାବିକା କରୁଥିବା ବେଳେ ଆଉ କେତେଜଣ ବଡ଼ ବ୍ୟବସାୟୀ ଆଗକୁ ଆଉ ଦର ବୃଦ୍ଧି ହେବା ଆଶାରେ ନିଜ ଗୋଦାମରେ ଗଚ୍ଛିତ ରଖୁଛନ୍ତି। ସରକାର ଯଦି ହଳଦୀର ସର୍ବନିମ୍ନ ଦର ଧାର୍ଯ୍ୟ କରିଥାନ୍ତେ ହୁଏତ ଆଜି ଚାଷୀମାନେ ଲାଭବାନ ହୋଇପାରିଥାନ୍ତେ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ, କନ୍ଧମାଳ ହଳଦୀରେ କୁରକୁମିନ ଉପାଦାନ ରହିଛି, ଯାହାକି ଆଣ୍ଟି ଅକ୍ସିଡେଣ୍ଟ ଭରପୁର। ଏହା କ୍ୟାନସର ଭଳି ରୋଗକୁ ପ୍ରତିହତ କରିବାର କ୍ଷମତା ରହିଥିବା କୁହାଯାଉଛି। କନ୍ଧମାଳରେ କେବଳ କସମ (କନ୍ଧମାଳ ଆପେକ୍ସ ସ୍ପାଇସେସ ଆସୋସିଏଶନ ଫର ମାର୍କେଟିଂ) ପକ୍ଷରୁ ହଳଦୀ ପ୍ରକ୍ରିୟାକରଣ କରାଯାଇ ଦାରିଙ୍ଗବାଡି ଠାରେ ଏକ କ୍ଷୁଦ୍ର ବିକ୍ରି କେନ୍ଦ୍ର କରାଯାଇ ବିକ୍ରି ଚାଲିଛି । ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକ କନ୍ଧମାଳର ଜୈବିକ ପଦ୍ଧତିରେ କରାଯାଉଥିବା ହଳଦୀ କିଣି ନେଉଛନ୍ତି। ଜିଲ୍ଲାରେ କିଛି ହାତ ଗଣତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ହଳଦୀ ପ୍ରକ୍ରିୟାକରଣ କରି ବିଭିନ୍ନ ମେଳା ଓ ପର୍ଯ୍ୟଟନସ୍ଥଳରେ ବିକ୍ରି କରି ଭଲ ରୋଜଗାର କରୁଛନ୍ତି। ହେଲେ ସରକାରଙ୍କ ପକ୍ଷରୁ ପ୍ରକ୍ରିୟାକରଣ କିମ୍ବା ହଳଦୀ ଚାଷୀଙ୍କୁ ପ୍ରୋତ୍ସାହନ ଦେବା ବ୍ୟବସ୍ଥା ନଥିବାରୁ ଚାଷୀମାନେ ଅମଳ ପରେ ଦଲାଲ ଓ ବ୍ୟବସାୟୀଙ୍କୁ ଶସ୍ତାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ହଳଦୀ ପ୍ରକ୍ରିୟାକରଣ କରାଯିବା ଓ ସବନିମ୍ନ ଦର ଧାର୍ଯ୍ୟ କରି ମଣ୍ଡି ଖୋଲିବାକୁ ଚାଷୀମାନେ ଦାବି କରିଆସୁଥିଲେ ସୁଦ୍ଧା ଫଳପ୍ରଦ ହୋଇପାରିନି। ସରକାର ହଳଦୀ ଚାଷୀଙ୍କୁ ସମସ୍ତ ଋଣ ସହ ପ୍ରୋତ୍ସାହନ ଯୋଗାଇଦେବାକୁ ଦାବି ହେଉଛି।