୧୪ ଦିନ ପରେ ଦୁବାଇରୁ ଗଞ୍ଜାମ ମର୍ଦ୍ଦକୋଟକୁ ଆସିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ

ବେଗୁନିଆପଡ଼ା,୧୧ା୫(ଡି.ଏନ୍‌.ଏ.): ପରିବାର ପ୍ରତିପୋଷଣ ପାଇଁ ସୁଦୂର ଦୁବାଇ ଯାଇଥିଲେ ଜଣେ ବ୍ୟକ୍ତି। ହାର୍ଟ ଆଟାକ୍‌ରେ ତାଙ୍କର ଜୀବନ ଚାଲିଯାଇଥିଲା। ଗଞ୍ଜାମ ଜିଲା କୋଦଳା ଥାନା ଅନ୍ତର୍ଗତ ମର୍ଦ୍ଦକୋଟ ଗ୍ରାମର ଜଣେ ବ୍ୟକ୍ତିଙ୍କର ଦୁବାଇରେ ମୃତ୍ୟୁ ହୋଇଥିବା ବେଳେ ଦୀର୍ଘ ୧୪ ଦିନ ପରେ ଗାଁ ଆସିଛି ତାଙ୍କ ମର ଶରୀର। ମୃତ ବ୍ୟକ୍ତି ଜଣକ ହେଲେ ଗଞ୍ଜାମ ଜିଲା କୋଦଳା ଥାନା ଅନ୍ତର୍ଗତ ମର୍ଦ୍ଦକୋଟ ଛକ ସାହିର ୫୦ ବର୍ଷୀୟ ଧ୍ରୁବ ଚରଣ ବରାଡ଼। ଶ୍ରମିକ ଭାବେ ସେ ଦୁବାଇରେ ଏକ ଘରୋଇ ସଂସ୍ଥାରେ ରହି କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ହାର୍ଟ ଆଟାକ୍‌ ହୋଇଥିଲା। ମର୍ଦ୍ଦକୋଟ ଗ୍ରାମରେ ମର ଶରୀର ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଦୁବାଇର ଜିନକୋ କଣ୍ଟ୍ରାକ୍ଟର ପ୍ରାଇଭେଟ ଲିମିଟେଡ କମ୍ପାନୀରେ ସେ କାର୍ଯ୍ୟ କରୁଥିଲେ। ଉକ୍ତ ସଂସ୍ଥା ପକ୍ଷରୁ ଦୁବାଇରୁ ବିଶାଖାପାଟଣା ଫ୍ଲାଇଟ୍‌ ଯୋଗେ ଅଣାଯିବା ପରେ ବିଶାଖାପାଟଣାରୁ ଆମ୍ବୁଲାନ୍ସ ଯୋଗେ ସଡ଼କ ପଥରେ ଅଣାଯାଇ ଗାଁରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

Share