Categories: ଜାତୀୟ

ବିବାହର ୧୬ ଦିନ ପରେ ବାପଘର ବୁଲିବାକୁ ଆସି ମନ୍ଦିରରେ ପ୍ରେମିକଙ୍କୁ ବାହା ହୋଇଗଲେ…

ପାଟନା,୨୯ା୬: ବିବାହର ୧୬ ଦିନ ପରେ ବାପଘରକୁ ବୁଲିବାକୁ ଆସି ଜଣେ ନବବଧୂ ନିଜ ପ୍ରେମିକଙ୍କୁ ବିବାହ କରି ନେଇଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭାଇରାଲ ଭିଡିଓରେ କନ୍ୟା ଜଣକଙ୍କ କହିଛନ୍ତି, ସେ ନିଜ ପ୍ରେମିକଙ୍କ ସହିତ ସ୍ବଇଚ୍ଛାରେ ଘର ଛାଡ଼ିଛନ୍ତି। ଏଥିରେ କାହାରି ହାତ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ଯଦି ତାଙ୍କ ପ୍ରେମିକଙ୍କ ପରିବାର ସହିତ କିଛି ଘଟେ, ତା’ହେଲେ ତାଙ୍କ ମାତାପିତା ଏବଂ ଶାଶୁଘର ଲୋକେ ଏଥିପାଇଁ ଦାୟୀ ରହିବେ।

ଏହି ମାମଲା ଜାମୁଇ ଜିଲାର ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ମୋହନପୁର ଗ୍ରାମରେ ଘଟିଛି। ଏହି ମାମଲାରେ ନାବାଳିକାଙ୍କ ପରିବାର ସଦସ୍ୟ ଗାଁର ଦୁଇ ଜଣ ଏବଂ ଚାରି ଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଅପହରଣ ମାମଲା ରୁଜୁ କରିଛନ୍ତି। ଥାନାରେ ଦିଆଯାଇଥିବା ଅଭିଯୋଗରେ କୁହାଯାଇଛି, ଗାଁର ଦୁଇ ଜଣ ଯୁବକ, ସେମାନଙ୍କ ଚାରି ଜଣ ଅଜଣା ସାଙ୍ଗମାନଙ୍କ ସହିତ ଘରେ ପଶି ମାରଣାସ୍ତ୍ର ଦେଖାଇ ଅପହରଣ କରିନେଇଥିଲେ।

ଜୁନ୍‌ ୭ରେ ଜାଜା ଥାନା ଅନ୍ତର୍ଗତ ଜଣେ ଯୁବକଙ୍କ ସହ ବିବାହ କରିଥିବା ଏହି ନବବଧୂ ଭାଇଙ୍କ ବିବାହ ପାଇଁ ବାପଘରକୁ ଆସିଥିଲେ। ଏହି ସମୟରେ ତାଙ୍କ ପ୍ରେମିକଙ୍କ ସହ ଫେରାର ହୋଇଯାଇ ମନ୍ଦିରରେ ବିବାହ କରିଛନ୍ତି।

କୁହାଯାଉଛି, ବିବାହ ପୂର୍ବରୁ ଗାଁର ରାକେଶ ନାମକ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା। ପ୍ରେମିକଙ୍କ ସହ ମିଶି ବିବାହ ସମୟର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି କନ୍ୟା ଜଣକ କହିଛନ୍ତି, ସେ ନିଜ ଇଚ୍ଛାରେ ନିଜ ଘରୁ ଦୂରେଇ ଯାଇଛନ୍ତି ଏବଂ ପ୍ରେମିକଙ୍କୁ ବିବାହ କରିଛନ୍ତି। ଅନ୍ୟପକ୍ଷରେ ଏହି ମାମଲାରେ ଲକ୍ଷ୍ମୀପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Share