Advertisement

୧୮ ବର୍ଷ ଜେଲଦଣ୍ଡ ଭୋଗି ନିର୍ଦ୍ଦୋଷରେ ଖଲାସ

ବାରିପଦା ଅଫିସ,୧୫ା୧୨- ଅନ୍ଧବିଶ୍ୱାସ ଓ ଗୁଣିଗାରେଡ଼ିକୁ ନେଇ ଟ୍ରିପଲ ମର୍ଡର ଘଟଣାରେ ୧୮ବର୍ଷ ଜେଲ ଦଣ୍ଡ ଭୋଗିବା ପରେ ନିର୍ଦ୍ଦୋଷରେ ମୁକୁଳିଛନ୍ତି ବଳରାମପୁର ଗ୍ରାମର ହାବିଲ ସିଦ୍ଧୁ(୫୯)। ମଙ୍ଗଳବାର ମୟୂରଭଞ୍ଜ ଜିଲା ଓ ଦୌରା ଜଜ୍‌ ପ୍ରଦୀପ କୁମାର ପଟ୍ଟନାୟକ ମାମଲାର ବିଚାର କରି ପ୍ରମାଣ ଅଭାବରୁ ତାଙ୍କୁ ଖଲାସ କରିଛନ୍ତି।

୨୦୦୩ ଜାନୁୟାରୀ ୩ରେ ଜମାଦାର ପିଙ୍ଗୁଆ ନିଜ ଶିଶୁପୁତ୍ର ଶୁକ୍ରୁ ପିଙ୍ଗୁଆ ଓ ଦାଦା ତୁରାମ ପୂର୍ର୍ତ୍ତିିଙ୍କ ସହିତ ପୁଡୁଗୁଣ୍ଠୁ ଗ୍ରାମସ୍ଥିିତ ଶ୍ୱଶୁରଘରକୁ ଯାଇଥିଲେ। ସେମାନେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ନିକଟସ୍ଥ ବିଲରେ ସେମାନଙ୍କ କ୍ଷତବିକ୍ଷତ ମୃତଦେହ ମିଳିଥିଲା। ତିନିଜଣଙ୍କର ମୁଣ୍ଡ ଗଣ୍ଡି ଅଲଗା କରିଦିଆଯାଇଥିବା ବେଳେ ଯୌନାଙ୍ଗକୁ କାଟି ସେମାନଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଖବରପାଇ ସାଇଣ୍ଟିଫିକ୍‌ ଟିମ୍‌ ସହ ପୋଲିସ ଘଟଣାର ତଦନ୍ତ କରି ହାବିଲଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା।

୨୦୦୫ରେ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ମାମଲାର ବିଚାର କରି ହାବିଲଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଉକ୍ତ ରାୟ ବିରୋଧରେ ହାବିଲ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ। ତେବେ ମାମଲାର ତଦନ୍ତ ଠିକ୍‌ ଭାବେ କରାଯାଇ ନ ଥିବାରୁ ଅବୈତନିକ ଆଇନଜୀବୀ ମାମଲା ଲଢ଼ିବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ। ଆଦେଶ ମୁତାବକ ଅବୈତନିକ ଆଇନଜୀବୀ ଅସିତ ଓତା ମାମଲା ପରିଚାଳନା କରିଥିଲେ। ୧୩ଜଣ ସାକ୍ଷୀଙ୍କ ବୟାନ, ପୋଲିସ ତଦନ୍ତ ରିପୋର୍ଟ ଓ ଜବତ ମାରଣାସ୍ତ୍ରକୁ ଆଧାର କରି ଜିଲା ଓ ଦୌରାଜଜ୍‌ ପଟ୍ଟନାୟକ ହାବିଲଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ତେବେ ଦୀର୍ଘଦିନ ଧରି ବିଚାରାଧୀନ କଏଦୀ ଓ ଆଜୀବନ ଜେଲ ଦଣ୍ଡ ଭୋଗିଥିବାରୁ ତାଙ୍କ ପରିବାର ପ୍ରତି ଅନ୍ୟାୟ ହୋଇଥିବା ହାବିଲ ପ୍ରକାଶ କରିଛନ୍ତି। ନ୍ୟାୟ ପାଇଁ ସେ ପୁନର୍ବାର ଉଚ୍ଚ ନ୍ୟାୟାଳୟ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share