ନିର୍ମାଣକୁ ୨ ମାସ ପୂରିଲାନି: ରାସ୍ତା ଫାଟିଲା

ମାହାଙ୍ଗା,୩ା୭(ଯଯାତି ସିଂହ): ସରକାର ଗ୍ରାମାଞ୍ଚଳରେ ଲୋକମାନଙ୍କ ଗମନାଗମନର ସୁବିଧା ନିମନ୍ତେ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ଉନ୍ନତୀକରଣ କରୁଛନ୍ତି। ତେବେ ରାସ୍ତା ନିର୍ମାଣର କିଛି ଦିନ ମଧ୍ୟରେ ଅନେକ ସ୍ଥାନରେ ଏହା ଭାଙ୍ଗିରୁଜି ଯାଉଛି। ଏହାର ଉଦାହରଣ ମାହାଙ୍ଗା ବ୍ଲକରେ ଦେଖିବାକୁ ମିଳିଛି। ଏହି ବ୍ଲକର ମାହାଙ୍ଗା ଗ୍ରାମରେ ଗୋକନ-ବଇଁଚୁଆ -ପଲ୍ଲିସାହି ଭାୟା ଆଦର୍ଶ ବିଦ୍ୟାଳୟ ରାସ୍ତା ନିର୍ମାଣ ଓ ଉନ୍ନତୀକରଣ କାର୍ଯ୍ୟ ଚାଲୁଛି ା ମାତ୍ର ଠିକାଦାର କାର୍ଯ୍ୟ ଅଧାରୁ ବନ୍ଦ କରିଦେଇଛି। ସେହିପରି ଆଦର୍ଶ ବିଦ୍ୟାଳୟ -ମୁରଲିଛକ ରାସ୍ତାରେ ୨ ମାସ ପୂର୍ବେ ପିଚୁ କାର୍ଯ୍ୟ କରାଯାଇଥିଲା। ମାତ୍ର ଅଳ୍ପ ଦିନ ମଧ୍ୟରେ ରାସ୍ତାର ଓଷଙ୍ଗ ସ୍କୁଲ ନିକଟ ଉଭୟ ପାର୍ଶ୍ୱରେ ପିଚୁ ଉଠିଯାଇଛି। ଏହା ଦବିଯାଇ ଫାଟି ଆଁ କରିଛି। ଫଳରେ ରାସ୍ତାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିମ୍ନମାନର କାମଯୋଗୁ ରାସ୍ତାର ଏପରି ଅବସ୍ଥା ହୋଇଥିବା କୁହାଯାଉଛି।
ପ୍ରକାଶ ଯେ, ମାହାଙ୍ଗା ବିଧାୟକ ତଥା ତକତ୍ାଳୀନ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଗତ ୨୭।୩।୨୨ରେ ଏହି ରାସ୍ତାର ଶିଳାନ୍ୟାସ କରିଥିଲେ ା ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ୯ କିମି ରାସ୍ତା ପାଇଁ ୫ କୋଟି ୩୧ ଲକ୍ଷ ଟଙ୍କା ବ୍ୟୟ ମଞ୍ଜୁର କରାଯାଇ ଥିଲା। କିନ୍ତୁ ଏହି କାର୍ଯ୍ୟର ବିଭିନ୍ନ ପ୍ରକାର ଅନିୟମିତତା ହେଇଥିବା ଦେଖିବାକୁ ମିଳିଛି। ଅପରପକ୍ଷେ ଆଦର୍ଶ ବିଦ୍ୟାଳୟଠାରୁ ମୁରଲିଛକ ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ଗତ ୨ ମାସ ହେବ ସରିଥିବାବେଳେ ପଲ୍ଲିସାହି-ଗୋକନ-ବଇଁଚୁଆ ରାସ୍ତା ନିର୍ମାଣ କାର୍ଯ୍ୟକୁ ସମ୍ପୃକ୍ତ ଠିକାଦାର ଅଧାପନ୍ତରିଆ କରି ବନ୍ଦ କରିଦେଇଛି। ଫଳରେ ରାସ୍ତା ଉପରେ ନିର୍ଭର କରୁଥିବା ଜନସାଧାରଣ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ନିର୍ମାଣ ହୋଇଥିବା ରାସ୍ତାରେ ପିଚୁ କାର୍ଯ୍ୟ ପରେ ଠିକ୍‌ ଭାବରେ ରୋଲିଂ ନ ହେବାରୁ ବିଭିନ୍ନ ସ୍ଥାନରେ ସମତୁଲ ହୋଇ ନପାରି ଫାଟି ଯାଇଛି। ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ କଟକ ଜିଲା ଗ୍ରାମ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଅଶୋକ ସାହୁ କୁହନ୍ତି, ଏ ବିଷୟରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ। ସେହିପରି ଅର୍ଦ୍ଧ ନିର୍ମିତ ହୋଇପଡି ରହିଥିବା ରାସ୍ତାକାର୍ଯ୍ୟ ଖିୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ସାହୁ କହଛନ୍ତି।