୨ ବର୍ଷ ପରେ ପୁଣି ମିଳିଲା ଏନ୍‌ସିଟିଇ ସ୍ବୀକୃତି

ଭବାନୀପାଟଣା,୮।୫(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ବିଇଡି କଲେଜରେ ମାନବ ସମ୍ବଳ ଅଭାବ ଦର୍ଶାଇ ନ୍ୟାଶନାଲ କାଉନସିଲ ଫର୍‌ ଟିଚର ଏଜୁକେଶନ (ଏନ୍‌ସିଟିଇ) କମିଟି ୨୦୨୦-୨୧ ଶିକ୍ଷା ବର୍ଷଠାରୁ ଶିକ୍ଷାଦାନ ବନ୍ଦ ରହିଥିଲା। ଏହାକୁ ନେଇ ବିଇଡି ଆଶାୟୀ ଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ନିରାଶା ଦେଖିବାକୁ ମିଳିଥିଲା। ଉଚ୍ଚ ଶିକ୍ଷା ବିଭାଗ ଏହି କଲେଜକୁ ପୁର୍ନବାର ଏନସିଟିଇ ସୀକୃତ ଦେବାକୁ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲା। ଫଳରେ ଚଳିତ ଶିକ୍ଷାବର୍ଷ ୨୦୨୩-୨୪ ବର୍ଷ ପାଇଁ ଭବାନୀପାଟଣା ବିଇଡି କଲେଜକୁ ଏନସିଟିଇ ପୁଣି ସ୍ବୀକୃତି ପ୍ରଦାନ କରିଛି। ସେହିପରି ଶହେ ସିଟରେ ନାମ ଲେଖା ଅନୁମୋଦନ ମଧ୍ୟ କରିଛି। ଆସନ୍ତା ଜୁନ୍‌ରେ ପ୍ରବେଶିକା ପରୀକ୍ଷା ହେବ ବୋଲି ଭାରପ୍ରାପ୍ତ ଅଧ୍ୟକ୍ଷ ଡ.ଗରୁଡଧ୍ୱଜ ବାରିକ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ୨୦୨୦-୨୧ରେ ଭବାନୀପାଟଣା ବିଇଡି କଲେଜରୁ ଏନସିଟିଇ ସ୍ବୀକୃତି କଟିବା ପରେ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ବଲାଙ୍ଗୀର ବିଇଡି କଲେଜକୁ ଡେପୁଟେଶନ ଦାୟିତ୍ୱ ଦିଆଯାଇଛି। ଅନ୍ୟଜଣେ ଚୁକ୍ତିଭିତ୍ତିକ ଅଧ୍ୟାପକଙ୍କୁ ମଧ୍ୟ ବଲାଙ୍ଗୀର କଲେଜରେ ଡେପୁଟେଶନରେ ପଠାଯାଇଛି। ଅବଶିଷ୍ଟ ଅଧ୍ୟାପକ ପଦବୀ ୨ ଶିକ୍ଷା ବର୍ଷରେ ଖାଲି ଥିଲା। ଉଚ୍ଚ ଶିକ୍ଷା ବିଭାଗ ଗତ ଜାନୁୟାରୀ ମଧ୍ୟରେ ୧୩ଜଣ ଅଧ୍ୟାପକଙ୍କୁ ଭବାନୀପାଟଣା ବିଇଡି କଲେଜରେ ନିଯୁକ୍ତି ଦେଇଛି। ମାତ୍ର ସେମାନଙ୍କ ମଧ୍ୟରୁ ୩ଜଣ ଅଧ୍ୟାପକଙ୍କୁ ପୁର୍ନବାର ବରଗଡ ପଞ୍ଚାୟତ କଲେଜକୁ ଡେପୁଟେଶନରେ ପଠାଯାଇଛି। ତେବେ ଭବାନୀପାଟଣା ବିଇଡି କଲେଜରେ ଏନସିଟିଇ ସ୍ବୀକୃତି ଫେରି ପାଇଥିବାରୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ସମେତ ନିଯୁକ୍ତି ପାଇଥିବା ସମସ୍ତ ଅଧ୍ୟାପକଙ୍କ ଡେପୁଟେଶନ ବାତିଲ କରାଯିବାକୁ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି। ଏଥିପାଇଁ ଭାରପ୍ରାପ୍ତ ଅଧ୍ୟକ୍ଷ ଡ.ବାରିକ ଉଚ୍ଚ ଶିକ୍ଷା ବିଭାଗକୁ ଛିଠି କରିଥିବା କହିଛନ୍ତି। ଚଳିତ ଶିକ୍ଷା ବର୍ଷରୁ ଭବାନୀପାଟଣା ବିଇଡି କଲେଜରେ ମୋଟ ୧୫ଜଣ ଅଧ୍ୟାପକ ଶିକ୍ଷାଦାନ କରିବେ। ସେହିପରି ଶହେ ଜଣ ଛାତ୍ରୀଛାତ୍ର ନାମ ଲେଖାଇ ଶିକ୍ଷା ଗ୍ରହଣ କରି ଉପକୃତ ହେବା ବାଟ ଫିଟିଛି।

Share