ନ୍ୟୁୟର୍କ,୧୬।୩ : ବିଶ୍ୱ ୨୦୦ ଦେଶ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି। ଯାହାର ନାମ ‘ହାଇ ସି ଟ୍ରିଟି’ ରଖାଯାଇଛି। ୨୦ ବର୍ଷର ବିଚାର ବିମର୍ଷ ପରେ ଏହି ଚୁକ୍ତିନାମା ହୋଇଛି। ଏହା କୁହାଯାଉଛି ଯେ ଏହା ସାମୁଦ୍ରିକ ପ୍ରାଣୀଙ୍କ ସଂରକ୍ଷଣରେ ଯଥେଷ୍ଟ ସହାୟକ ହେବ। ଲକ୍ଷ ଲକ୍ଷ ପ୍ରଜାତି ସମୁଦ୍ରରେ ବାସ କରୁଛନ୍ତି। କିନ୍ତୁ ବର୍ଷ ବର୍ଷ ଧରି ମାନବର କାର୍ଯ୍ୟକଳାପ ଯୋଗୁ ସମୁଦ୍ର ଏବଂ ଏହାର ଜୈବ ବିବିଧତା ବହୁ କ୍ଷତି ସହିଛି। ବିଗତ ଅନେକ ବର୍ଷ ଧରି ସମୁଦ୍ର ପରିବହନ, ଅତ୍ୟଧିକ ଶିକାର ଏବଂ ଖଣି ଖନନ ସମୁଦ୍ରର ଇକୋ ସିଷ୍ଟମକୁ ବିନାଶର ସମ୍ମୁଖୀନ କରିଛି ।
ବର୍ତ୍ତମାନ ଆଶା କରାଯାଉଛି ଯେ ସମୁଦ୍ର ଏବଂ ସମୁଦ୍ର ପ୍ରାଣୀମାନେ ‘ହାଇ ସି ଟ୍ରିଟି’ ଦ୍ୱାରା ସୁରକ୍ଷା ପାଇବେ। କିନ୍ତୁ ପ୍ରଶ୍ନ ଉଠିଛି ଯେ ଏହି ଚୁକ୍ତିନାମାକୁ ଚୂଡ଼ାନ୍ତ କରିବାକୁ କାହିଁକି ଏତେ ସମୟ ଲାଗିଲା, ସମଗ୍ର ବିଶ୍ୱର ଦେଶମାନେ ଏହି ଚୁକ୍ତିରେ କାହିଁକି ଅଂଶଗ୍ରହଣ କଲେ, ପୃଥିବୀ ଉପରେ ବିସ୍ତାରିତ ଦେଶଗୁଡିକର ସମୁଦ୍ରର ମଧ୍ୟ ସୀମା ଅଛି କି, ସାମଗ୍ରିକ ଭାବରେ ଏହା ହେବ , କେଉଁ ନିୟମ ସମୁଦ୍ରରେ କାମ କରେ, ଏବଂ ଏହି ଚୁକ୍ତି ପରେ କ’ଣ ପରିବର୍ତ୍ତନ ହେବ। ଏହି ପ୍ରଶ୍ନଗୁଡ଼ିକ ବୁଦ୍ଧିଜୀବୀଙ୍କ ମନରେ ଉଙ୍କି ମାରୁଛି।
ବର୍ଷ ବର୍ଷ ଧରି ସମୁଦ୍ର ଓ ମହାସାଗର ବିପଦରେ ରହିଛି। ଏଥିରୁ ମୁକ୍ତି ପାଇବା ପାଇଁ ମିଳିତ ଜାତିସଂଘ ସଦସ୍ୟ ଦେଶଗୁଡ଼ିକୁ ଏକାଠି କରିବା ଏବଂ ଏହାର ମୁକାବିଲା ପାଇଁ ପଦକ୍ଷେପ ନେବାକୁ ବର୍ଷ ବର୍ଷ ଧରି ଚେଷ୍ଟା ଜାରି ରହିଥିଲା। ‘ହାଇ ସି ଟ୍ରିଟି’ ପରେ ମିଳିତ ଜାତିସଂଘର ଏହି ପ୍ରୟାସ ସଫଳତା ହାସଲ କରିଛି ବୋଲି କୁହାଯାଉଛି।
ନ୍ୟୁୟର୍କରେ ମିଳିତ ଜାତିସଂଘ ମୁଖ୍ୟାଳୟରେ ୩୮ ଘଣ୍ଟା ଆଲୋଚନା ପରେ ଏହି ଦେଶଗୁଡିକ ‘ହାଇ ସି ଟ୍ରିଟି’ରେ ରାଜି ହୋଇଥିଲେ।
ଏହି ଚୁକ୍ତିନାମା ଅନୁଯାୟୀ, ୨୦୩୦ ବର୍ଷ ସୁଦ୍ଧା ବିଶ୍ୱ ସମୁଦ୍ରର ୩୦ ପ୍ରତିଶତ ସଂରକ୍ଷଣ କରାଯିବ। ଏହା ସହିତ ଚୁକ୍ତିନାମା ଅନୁଯାୟୀ ମହାସାଗରରେ ଅବସ୍ଥିତ ସାମୁଦ୍ରିକ ଜୀବଜନ୍ତୁ, ଉଦ୍ଭିଦ ଏବଂ ଖଣିଜ ପଦାର୍ଥକୁ ସୁରକ୍ଷା ତଥା ନୂତନ ଜୀବନ ଦେବା ପାଇଁ ମଧ୍ୟ ଉଦ୍ୟମ କରାଯିବ। ଏଥିପାଇଁ ଏହି ଚୁକ୍ତିରେ ଜଡିତ ସମସ୍ତ ଦେଶ ପରସ୍ପରକୁ ସେମାନଙ୍କର ଜାତୀୟ ସୀମା ବାହାରେ ସାହାଯ୍ୟ କରିବେ।