ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣବଳାତ୍କାର ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ ୨୨ ବର୍ଷ ପରେ କମିଶନରେଟ୍ ପୋଲିସ ଗିରଫ କରିଥିବା ୨୨ ଫେବୃୟାରୀ ୨୦୨୧ରେ ପ୍ରକାଶ କରିଛି। ଜଳନ୍ଧର ସ୍ବାଇଁ ନାମରେ ମହାରାଷ୍ଟ୍ରର ପୁଣେ ଅଞ୍ଚଳରେ ପାଇପ୍ ମିସ୍ତ୍ରି ଭାବେ କାମ କରୁଥିବା ବିବନ ବିଷୟରେ ସୂଚନା ମିଳିବା ପରେ ଓଡ଼ିଶାର କମିଶନରେଟ୍ ପୋଲିସ ସେଠାକାର ପୋଲିସ ସହ ମିଶି ଏଭଳି ସଫଳତା ପାଇଛି। ଘଟଣାକ୍ରମ ଦେଖିଲେ ୯ ଜାନୁୟାରୀ ୧୯୯୯ରେ ଅଞ୍ଜନା ଜଣେ ସାମ୍ବାଦିକ ବନ୍ଧୁଙ୍କ ସହ କଟକରେ ତାଙ୍କ ଓକିଲଙ୍କୁ ଦେଖା କରିବାକୁ ଯାଉଥିବା ବେଳେ ବାରଙ୍ଗ ନିକଟରେ ଗଣବଳାତ୍କାରର ଶିକାର ହୋଇଥିଲେ। ସେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ତତ୍କାଳୀନ ଆଡଭୋକେଟ ଜେନେରାଲ ଇନ୍ଦ୍ରଜିତ୍ ରାୟଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଥିଲା। ସେହି ସମୟରେ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବିରୋଧରେ ବିଚିତ୍ର ଅଭିଯୋଗ ଆସୁଥିଲା। ଛବିରାଣୀ ଗଣବଳାତ୍କାର ଓ ହତ୍ୟାକାଣ୍ଡରୁ ଆରମ୍ଭ କରି ଅଞ୍ଜନା ମିଶ୍ର ମାମଲା ତାଙ୍କ ଭାବମୂର୍ତ୍ତିକୁ ଧ୍ୱଂସ କରିଦେବା ଫଳରେ କଂଗ୍ରେସ ହାଇକମାଣ୍ଡ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ପଦବୀରୁ ହଟାଇ ଗିରିଧର ଗମାଙ୍ଗଙ୍କୁ ନୂତନ ମୁଖ୍ୟମନ୍ତ୍ରୀ କରାଇଥିଲା। ସେହି ସମୟର କୁକର୍ମ ଫଳରେ ଓଡ଼ିଶାରେ କଂଗ୍ରେସର ଦୀର୍ଘଦିନ ପାଇଁ କ୍ଷତି ଘଟିଛି।
ଅଞ୍ଜନା ଘଟଣାରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହେବା ପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ତଦନ୍ତ ଭାର ଦିଆଯାଇଥିଲା। ହେଲେ ସିବିଆଇ ତଦନ୍ତରେ ଅଗ୍ରଗତି ଦେଖାଦେଇ ନ ଥିଲା। ୩ ମାସ ପୂର୍ବରୁ ଓଡ଼ିଶା ପୋଲିସ ଅପରେଶନ ‘ସାଇଲେଣ୍ଟ ଭାଇପର’ ମାଧ୍ୟମରେ ଖୋଳତାଡ଼ କରି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କଲା। ସାଧାରଣରେ ବିଶ୍ୱାସ କରାଯାଏ ଯେ, ଗୁରୁତ୍ୱପୂର୍ଣ୍ଣ ଅପରାଧ ବା ଘଟଣାକୁ ସିବିଆଇ ଖୋଳତାଡ଼ କଲେ ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବା ସହିତ ସବୁ ଅପରାଧୀ ମଧ୍ୟ ଦଣ୍ଡିତ ହେବେ। ସିବିଆଇର ଇତିହାସକୁ ଦେଖିଲେ ଆଜି ମଧ୍ୟ ସେହି ସଂସ୍ଥାକୁ ପୂର୍ବଭଳି ବ୍ୟବହାର କରାଯାଉଛି। ଭାରତୀୟ ପୋଲିସ ସେବାର ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ଏହି ତଦନ୍ତକାରୀ ସଂସ୍ଥା ବିଗତ ବର୍ଷଗୁଡ଼ିକରେ କୌଣସି ଆଖିଦୃଶିଆ କାର୍ଯ୍ୟ କରିବାର ନଜିର ନାହିଁ। ଯେଉଁସବୁ ଘଟଣାକୁ କ୍ଷମତାସୀନ ଦଳ ଘୋଡ଼ାଇବାକୁ ଚାହେଁ, ସେହି କାର୍ଯ୍ୟରେ ସିବିଆଇର ସକ୍ରିୟ ସହଯୋଗ ମିଳେ। ଅନ୍ୟପଟେ ଯେଉଁ ଘଟଣାକୁ ତଦନ୍ତ କରି ସତ୍ୟ ବା ତଥାକଥିତ ସତ୍ୟକୁ ପ୍ରକାଶ କଲେ ଗଣମାଧ୍ୟମ ଦ୍ୱାରା ସିବିଆଇକୁ ପ୍ରଶଂସା ମିଳିବ ସେଭଳି କାର୍ଯ୍ୟ କରାଯାଇଥାଏ। ଅର୍ଥାତ୍ ସରକାରୀ ଦଳ ଯେଉଁ ଘଟଣାରେ ଅତ୍ୟନ୍ତ ଆଗ୍ରହ ପ୍ରକାଶ କରିଥାଆନ୍ତି, ସେହି ଅନୁଯାୟୀ ତଦନ୍ତ ହୋଇଥାଏ। ଏହା ଫଳରେ କେତେକ ପୋଲିସ ଅଫିସର ସିବିଆଇରେ ନିଯୁକ୍ତି ପାଇବା ପାଇଁ ରାଜନେତାମାନଙ୍କୁ ମୁଣ୍ଡିଆ ମାରନ୍ତି। ଏତେ ବୃହତ୍ ତଦନ୍ତକାରୀ ସଂସ୍ଥା ସମ୍ଭାଳୁଥିବା କର୍ତ୍ତୃପକ୍ଷ ନିଜର ତଦନ୍ତ ବାହାରେ ମଧ୍ୟ ଅନେକ ତଥ୍ୟ ପାଇଥାଆନ୍ତି; ଯେଉଁଥିରେ ଲୋକଙ୍କ ଦୃଷ୍ଟିପଡ଼େ ନାହିଁ, ସେହିସବୁ ତଦନ୍ତରେ ବିପୁଳ ଦୁର୍ନୀତିର ସୁଯୋଗ ମିଳେ। ଅର୍ଥାତ୍ ସିବିଆଇର ଉଚ୍ଚପଦସ୍ଥ ଅଫିସରମାନେ ଅବସର ପୂର୍ବରୁ ହଠାତ୍ ଯଥେଷ୍ଟ ଧନୀ ହେବାର ବାରମ୍ବାର ସଙ୍କେତ ମିଳେ। ଏଠାରେ କୁହାଯାଇପାରେ ଯେ, ରାଜ୍ୟ ପୋଲିସରେ ଯେଭଳି ଅଧିକାରୀ ଥାଆନ୍ତି, କେନ୍ଦ୍ରୀୟ ସ୍ତରକୁ ଦେଖିଲେ ସେଥିରେ ଆକାଶ ପାତାଳ ଫରକ୍ ନ ଥାଏ। ଯେତେବେଳେ ଗୋଟିଏ ଗୋଟିଏ କେସ୍ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱକୁ ଚାଲିଯାଉଛି, ସେହି ସମୟ ମଧ୍ୟରେ ଅଭିଯୁକ୍ତ କିମ୍ବା ପୀଡ଼ିତଙ୍କ ମଧ୍ୟରୁ କେତେ ଜଣ ମରିହଜି ଯାଇଥାଆନ୍ତି। ଫଳରେ ନ୍ୟାୟ ଠିକ୍ ଭାବେ ମିଳିପାରି ନ ଥାଏ। ଏଠାରେ ମନେପଡ଼େ ଗତ ଶତାବ୍ଦୀର ୮୦ ଦଶନ୍ଧି କଥା। ୩ ଅକ୍ଟୋବର ୧୯୮୦ରେ ବିଲୁଆଖାଇ ନଦୀ ପଠାରେ ଛବିରାଣୀଙ୍କୁ ଗଣବଳାତ୍କାର କରାଯାଇ ହତ୍ୟା କରାଯାଇଥିଲା। ଦୁଃଖର ବିଷୟ ଯେ, ଘଟଣାର ୨୨ ବର୍ଷ ପରେ ସୁପ୍ରିମକୋର୍ଟ ୮ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସେହି ସମୟ ମଧ୍ୟରେ କେତେ ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ଘଟି ଯାଇଥିଲା। ଏବେ ଅଞ୍ଜନା ମିଶ୍ର ଗଣବଳାତ୍କାର ଘଟଣାରେ ଅନ୍ୟତମ ଦୋଷୀ ପ୍ରଦୀପ ସାହୁ (ପଦିଆ)ଙ୍କ ମୃତ୍ୟୁ ଘଟି ସାରିଲାଣି। ତେବେ ମୁଖ୍ୟ ଅଭିଯୁକ୍ତ ଗିରଫ ହେବା ପୀଡ଼ିତାଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି। ବିବନଙ୍କୁ ଫାଶୀ କିମ୍ବା ଆଜୀବନ ଜେଲଦଣ୍ଡ ଦିଆଯାଉ ବୋଲି ଅଞ୍ଜନା ଗଣମାଧ୍ୟମ ଆଗରେ ଇଚ୍ଛା ବ୍ୟକ୍ତ କରିଛନ୍ତି। ବାସ୍ତବରେ ଯଦି ଯଥାଶୀଘ୍ର ଅଭିଯୁକ୍ତଙ୍କୁ ଶାସ୍ତି ଦିଆଯାଇପାରନ୍ତା, ତେବେ ପୋଲିସ ଓ ନ୍ୟାୟ ବ୍ୟବସ୍ଥା ଉପରେ ଲୋକଙ୍କ ଆସ୍ଥା ବୃଦ୍ଧି ପାଇପାରନ୍ତା।