କୁହାଯାଏ, ମୃତ୍ୟୁ ପୂର୍ବରୁ ତୁମର ଆଖି ସାମ୍ନାରେ ଏକ ଉଜ୍ଜ୍ୱଳ ଆଲୋକ ଝଲସି ଉଠେ। ଯାହା ଆଗକୁ ଯିବା ପାଇଁ ବାଟ ଦେଖାଏ। କିନ୍ତୁ ଏହା ପ୍ରକୃତରେ ଘଟେ କି? ବୈଜ୍ଞାନିକମାନେ ଅନେକ ଲୋକଙ୍କ ଅଭିଜ୍ଞତା ଉପରେ ଗବେଷଣା କରିଛନ୍ତି। ଯେଉଁମାନେ ମୃତ୍ୟୁ ପରେ ପୁନର୍ବାର ଜୀବିତ ହୋଇଥିଲେ। ଏହା ଅନେକ ଥର ଘଟିଛି ଯେ, ହୃଦ୍ଘାତ ହେତୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା, କିନ୍ତୁ ୧୦ ମିନିଟ୍ ପରେ ସେ ପୁନର୍ବାର ଜୀବିତ ଥିବା ଜଣାପଡ଼ିଥିଲା। ବୈଜ୍ଞାନିକମାନେ ଆଜି ପର୍ଯ୍ୟନ୍ତ ଏହାର ସଠିକ୍ କାରଣ ଖୋଜି ପାଇପାରି ନାହାନ୍ତି। ଏବେ ଜଣେ ମହିଳା ଦାବି କରିଛନ୍ତି ଯେ, ସେ ମୃତ୍ୟୁର ୨୪ ମିନିଟ୍ରେ ପୁଣି ଜୀବିତ ହୋଇଛନ୍ତି। ସେ ଯାହା କହିଛନ୍ତି, ତାହା ଜାଣିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଏକ ରିପୋର୍ଟ ଅନୁଯାୟୀ, ଲରେନ କ୍ୟାନେଡ୍ ନାମକ ଜଣେ ମହିଳା ସୋସିଆଲ ମିଡିଆରେ ତାଙ୍କ କାହାଣୀ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ଗତ ଫେବୃୟାରୀରେ ଘରେ ହଠାତ୍ ହୃଦ୍ଘାତ ହୋଇଥିଲା। ମୋ’ ସ୍ବାମୀ ୯୧୧କୁ ଫୋନ୍ କରି ସିପିଆର ଆରମ୍ଭ କଲେ। ଡାକ୍ତର ଆସି ମୋତେ ମୃତ ବୋଲି ଭାବିଲେ। ପ୍ରାୟ ୨୪ ମିନିଟ୍ ପରେ ମୁଁ ପୁଣି ଜୀବିତ ହେଲି। ମୋତେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଗଲେ ଯେ, ଏମ୍ଆର୍ଆଇରେ ମସ୍ତିଷ୍କର କୌଣସି କ୍ଷତି ହୋଇନାହିଁ।
ମହିଳା ଜଣକ କହିଥିଲେ, ସେହି ସମୟରେ ମୋ ସହିତ କ’ଣ ଘଟିଥିଲା ମୁଁ ସବୁକିଛି ସ୍ପଷ୍ଟ ମନେ ରଖିଛି। ହୃଦ୍ଘାତ ପରେ ମୋ ସ୍ବାମୀ ଚାରି ମିନିଟ ପାଇଁ ସିପିଆର ଏହି ସମୟରେ ସେ ୯୧୧କୁ ଫୋନ୍ କରିଥିଲେ, ସେଠାରୁ ଡାକ୍ତର ତାଙ୍କୁ ଏପରି ପରିସ୍ଥିତିରେ କ’ଣ କରିବେ ତାହା ବୁଝାଉଥିଲେ। କିଛି ସମୟ ପରେ ଜରୁରିକାଳୀନ ସେବା ମଧ୍ୟ ପହଞ୍ଚିଲା। ୨୪ ମିନିଟ୍ ପରେ ମୋର ହୃଦୟ ପୁଣି ଧକ୍ଧକ୍ ହେବା ଆରମ୍ଭ କଲା। ମୋତେ ଡାକ୍ତରଖାନା ନିଆଯାଇଥିଲା। ତଥାପି ମୁଁ କୋମାକୁ ଚାଲିଯାଇଥିଲି। ୨ ଦିନ କୋମାରେ ରହିଲି। ଯେତେବେଳେ ମୁଁ ଉଠିଲି, ମୁଁ ବହୁତ ଦ୍ୱନ୍ଦ୍ୱରେ ପଡ଼ିଗଲି। ଅନେକ ଦିନ ଧରି ମୁଁ ପୁରୁଣା ଜିନିଷ ମନେ ରଖିପାରିଲି ନାହିଁ। ଆଇସିୟୁରେ ମୋ’ ସହିତ କ’ଣ ହେଲା ମୁଁ ଜାଣେ ନାହିଁ।
ଲରେନ କହିଛନ୍ତି, ଯେତେବେଳେ ମୋ’ ଶରୀରରେ ଜୀବନ ନ ଥିଲା, ମୋର ମନେ ଅଛି ଯେ ମୁଁ ଅତ୍ୟଧିକ ଶାନ୍ତିପୂର୍ଣ୍ଣ ଅନୁଭବ କରୁଥିଲି। କୋମା ବାହାରକୁ ଆସିବା ପରେ ଏହି ଶାନ୍ତି ମୋ ସହିତ କିଛି ସପ୍ତାହ ରହିଲା। ମୁଁ ଦିନ ଏବଂ ସମୟ ଭୁଲି ଯାଇଥିଲି। ପ୍ରଶ୍ନର ଉତ୍ତର ଦେବାକୁ ସକ୍ଷମ ହୋଇ ନ ଥିଲି। ମୋତେ କ’ଣ ହେଲା ମୁଁ ଭୁଲିଗଲି ଯେ, ମୋତେ ଡାକ୍ତରଖାନା ନିଆଗଲା। ସେ କହିଛନ୍ତି, ମୁଁ କୌଣସି ଆଲୋକ କିମ୍ବା ଟନେଲ ଦେଖି ନାହିଁ, କିନ୍ତୁ ମୁଁ ଶାନ୍ତିର ଗଭୀର ଅନୁଭବ କଲି। ମୋତେ ଲାଗିଲା ଯେମିତି ମୁଁ ମୋ’ ଅଫିସରେ ଶୋଇଛି। ଏହା ଅଦ୍ଭୁତ କିନ୍ତୁ ସମ୍ପୂର୍ଣ୍ଣ ସତ୍ୟ। ମୃତ୍ୟୁକୁ ଦେଖିବା ପରେ ମୁଁ ଆଉ ମୃତ୍ୟୁକୁ ଭୟ କରୁ ନାହିଁ।