Categories: ଜାତୀୟ

୨୫ ବର୍ଷ ପରେ ଆମେଠିରେ ଘଟିବାକୁ ଯାଉଛି ଏମିତି ଘଟଣା..

ଲକ୍ଷ୍ନୌ,୩।୫: ୟୁପିର ଏକ ହାଇପ୍ରୋଫାଇଲ ସିଟ ମଧ୍ୟରୁ ଅନ୍ୟତମ ଆମେଠିକୁ ଗାନ୍ଧୀ ପରିବାରର ପାରମ୍ପରିକ ଆସନ ଭାବରେ ବିବେଚନା କରାଯାଏ। ୧୯୯୯ ପରେ ପ୍ରଥମଥର ପାଇଁ ଏଠାରେ ଗାନ୍ଧୀ ପରିବାର ପକ୍ଷରୁ କୌଣସି ବ୍ୟକ୍ତି ନିର୍ବାଚନ ଲଢିବେ ନାହିଁ। ଶୁକ୍ରବାର ସକାଳେ ପ୍ରକାଶ ପାଇଥିବା ପ୍ରାର୍ଥୀ ତାଲିକାରେ କିଶୋରୀ ଲାଲ ଶର୍ମାଙ୍କୁ ଆମେଠିରୁ ପ୍ରାର୍ଥୀ କରାଯାଇଛି। ଏ ସମ୍ପର୍କରେ ରାଜନୈତିକ ବାତାବରଣ ପୁଣି ଥରେ ବଦଳି ଯାଇଛି। ୧୯୯୯ରେ ସୋନିଆ ଗାନ୍ଧୀ ଆମେଠିରୁ ତାଙ୍କର ପ୍ରଥମ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ପରେ ସୋନିଆ ଗାନ୍ଧୀ ୨୦୦୪ରେ ପୁଅ ପାଇଁ ଏହି ଆସନ ଛାଡିଥିଲେ। ୨୦୦୪, ୨୦୦୯, ୨୦୧୪ରେ ରାହୁଲ ଗାନ୍ଧୀ ନିର୍ବାଚନରେ ଜିତିଥିଲେ କିନ୍ତୁ ସେ ୨୦୧୯ରେ ନିର୍ବାଚନରେ ଭାଜପାର ସ୍ମୃତି ଇରାନୀଙ୍କଠାରୁ ହାରିଯାଇଥିଲେ। ୧୯୯୮ରେ ଗାନ୍ଧୀ ପରିବାରର ନିକଟ କ୍ୟାପଟେନ ସତୀଶ ଶର୍ମା ଏହି ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେବେଠାରୁ ଗାନ୍ଧୀ ପରିବାର ପାଇଁ ଏହି ଆସନ କ୍ରମାଗତ ଭାବରେ ସଂରକ୍ଷିତ ହୋଇ ରହିଆସିଛି।
ଏଥର ମଧ୍ୟ କଂଗ୍ରେସ କର୍ମୀମାନେ ରାହୁଲ ଗାନ୍ଧୀଙ୍କୁ ଆମେଠିରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଦାବି ହେଉଥିଲା। ଏଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଲବି କରାଯାଇଥିଲା, କିନ୍ତୁ ଶୁକ୍ରବାର ପ୍ରକାଶ ପାଇଥିବା ତାଲିକାରେ ସୋନିଆ ଗାନ୍ଧୀଙ୍କ ପ୍ରତିନିଧୀ କିଶୋରୀ ଲାଲ ଶର୍ମାଙ୍କ ନାମ ଘୋଷଣା କରାଯାଇଛି।
ଉଲ୍ଲେଖଥାଉ କି, ୧୯୭୬ରେ ଗାନ୍ଧୀ ପରିବାର ଆମେଠିକୁ ଓହ୍ଲାଇଥିଲେ। ସେତେବେଳେ ସଞ୍ଜୟ ଗାନ୍ଧୀ ଏଠାରେ ପହଞ୍ଚି ନିଜର ଶ୍ରମ ଦାନ କରି ରାଜନୈତିକ କ୍ଷେତ୍ର ପ୍ରସ୍ତୁତ କରିଥିଲେ। ତେବେ ୧୯୭୭ରେ ହୋଇଥିବା ପ୍ରଥମ ନିର୍ବାଚନରେ କଂଗ୍ରେସର ସଞ୍ଜୟ ଗାନ୍ଧୀ ନିର୍ବାଚନରେ ହାରି ଯାଇଥିଲେ। ୧୯୮୦ରେ ସେ ନିର୍ବାଚନରେ ଜିତିଥିଲେ କିନ୍ତୁ ସେହି ବର୍ଷ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ରାଜୀବ ଗାନ୍ଧୀ ଉପ-ନିର୍ବାଚନରେ ନିଜର ରାଜନୈତିକ ଇନିଂସ ଆରମ୍ଭ କରିଥିଲେ। ଏହା ପରେ ୧୯୮୪, ୧୯୮୯ ଏବଂ ୧୯୯୧ରେ ରାଜୀବ ଗାନ୍ଧୀ କ୍ରମାଗତ ଭାବରେ ଜିତିଥିଲେ। ଏହା ଏକ ଭିନ୍ନ କଥା ଯେ ୧୯୮୪ରେ ରାଜୀବ ଗାନ୍ଧୀ ତାଙ୍କ ସାନଭାଇଙ୍କ ସ୍ତ୍ରୀ ମାନେକା ଗାନ୍ଧୀଙ୍କ ସହ ରାଜନୈତିକ ପ୍ରତିଯୋଗିତା କରିଥିଲେ।

Share