୨୬ ବର୍ଷ ପରେ ଘରକୁ ଫେରିଲେ ସନିଆ

ସୋର,୧୫ା୧୧(ଡି.ଏନ.ଏ)  ୧୯୯୫ରୁ ନିଖୋଜ ଥିବା ବାଲେଶ୍ୱର ଜିଲା ସୋର ବ୍ଲକ ସାଧୁଆପଡା ଗ୍ରାମର ସତ୍ୟାନନ୍ଦ ନାୟକଙ୍କ ପୁଅ ସନିଆ ୨୬ ବର୍ଷ ପରେ ରବିବାର ଘରକୁ ଫେରିଛନ୍ତି। ଏନେଇ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ସତ୍ୟାନନ୍ଦଙ୍କ ୫ ପ୍ରାଣୀ ସୁଖର ସଂସାରରେ ଥିଲେ ଦୁଇ ପୁଅ ସହ ଝିଅଟିଏ। ବଡ଼ ପୁଅ ଅରବିନ୍ଦଙ୍କୁ ଶ୍ରଦ୍ଧାରେ ମା’ ବାପା ଡାକୁଥିଲେ ସନିଆ। ୧୦ ବର୍ଷ ବୟସର ହୋଇଥିବା ବେଳେ ଦାଣ୍ଡ ଅଗଣାରେ ସାଙ୍ଗ ସାଥୀ ମେଳରେ ଖେଳୁଥିବା ସନିଆ ହଠାତ୍‌ ନିଖୋଜ ହୋଇଯାଇଥିଲେ। ଚାରିଆଡ଼େ ଖୋଜାଖୋଜି ପରେ ତାଙ୍କୁ ନ ପାଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ ପରିବାର ଲୋକେ। ପୁଅର ଫେରିବା ବାଟକୁ ଚାହିଁ ଚାହିଁ ସେବେଠାରୁ ମା’ ବାସନ୍ତୀଙ୍କ ଆଖିରୁ ଲୁହ ଶୁଖି ନ ଥିଲା। ରବିବାର ସକାଳେ ସନିଆଙ୍କୁ ସୋର ଷ୍ଟେଶନରେ ସ୍ଥାନୀୟ ଲୋକେ ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ସମ୍ପର୍କୀୟ ଲୋକେ ସନିଆଙ୍କୁ ଘରକୁ ନେବା ପରେ ସେ ମା’ କୋଳରେ ମଥା ରଖି ବହେ କାନ୍ଦିଥିଲେ। ସାଙ୍ଗସାଥୀଙ୍କୁ ଚିହ୍ନିବା ସହ ବାଲ୍ୟ ବନ୍ଧୁଙ୍କ ନାମ ଧରି ଡାକିଥିଲେ। ପିଲା ବେଳର ସ୍ମୃତିି ବଖାଣିଥିଲେ। ନିଖୋଜ ହେବା ସମ୍ପର୍କରେ ସନିଆ କୁହନ୍ତି, ଭୁଲରେ ସୋର ଷ୍ଟେଶନରୁ ଟ୍ରେନ୍‌ରେ ଉଠିଯିବା ପରେ ପ୍ରଥମେ କୋଲକାତା ପଳାଇଯାଇଥିଲେ। ସେଠାରୁ ଗୁଜରାଟ, ପଞ୍ଜାବ ପରେ ଏବେ ଦିଲ୍ଲୀରେ ରହି ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ। ଜନ୍ମମାଟିର ମୋହ ତାଙ୍କୁ ଘର ଓ ପରିବାର ଲୋକଙ୍କ ପାଖକୁ ଟାଣି ଆଣିଥିବା ସେ କହିଛନ୍ତି।