୩ ବର୍ଷ ପରେ ବିଦେଶୀଙ୍କ ପାଇଁ ସୀମା ଖୋଲିଲା ଉତ୍ତର କୋରିଆ

ବେଜିଂ, ୨୬।୯ : କୋଭିଡ୍‌-୧୯ ମହାମାରୀ ଯୋଗୁ ଦୀର୍ଘ ୩ ବର୍ଷ ଧରି ନିଜ ସୀମାକୁ ବିଦେଶୀମାନଙ୍କ ପାଇଁ ବନ୍ଦ ରଖିଥିବା ଉତ୍ତର କୋରିଆ ସୋମବାର ତାହାକୁ ଖୋଲିଛି। ଚାଇନାର ସରକାରୀ ଗଣମାଧ୍ୟମ ପକ୍ଷରୁ ଏହି ସୂଚନା ଦିଆଯାଇଛି। କୋଭିଡ୍‌ ବିଶ୍ୱବ୍ୟାପୀ ଭୟ ସୃଷ୍ଟି କରିଥିବାରୁ ଉତ୍ତର କୋରିଆ କର୍ତ୍ତୃପକ୍ଷ ବାହାରେ ରହୁଥିବା ତା’ ନିଜ ଦେଶର ନାଗରିକଙ୍କୁ ମଧ୍ୟ ୨୦୨୦ ପ୍ରାରମ୍ଭରୁ ପ୍ରବେଶ ନିଷିଦ୍ଧ କରିଥିଲା। ଉତ୍ତର କୋରିଆ ଶାସକ କିଙ୍ଗ୍‌ ଜଙ୍ଗ୍‌ ଉନ୍‌ ଚଳିତ ମାସ ରୁଷିଆ ରାଷ୍ଟ୍ରପତି ଭ୍ଳାଡିମିର ପୁଟିନ୍‌ଙ୍କୁ ଭେଟିବା ଓ ଚାଇନାର ପୂର୍ବାଞ୍ଚଳ ସହର ହାଙ୍ଗଝୁରେ ଅନୁଷ୍ଠିତ ଏସିଆନ୍‌ ଗେମ୍ସରେ ଦେଶର ଖେଳାଳିଙ୍କୁ ଭାଗ ନେବା ଲାଗିି ଅନୁମତି ଦେବା ପରିପ୍ରେକ୍ଷୀରେ ସୀମାକୁ ଖୋଲି ଦେଇଥିବା କୁହାଯାଉଛି। ତେବେ ଦେଶ ଭିତରକୁ ଆସୁଥିବା ବ୍ୟକ୍ତି ଦୁଇ ଦିନ କ୍ୱାରାଣ୍ଟାଇନ୍‌ରେ ରହିବେ ବୋଲି ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। କିନ୍ତୁ ଉତ୍ତର କୋରିଆ ସରକାରୀ ଗଣମାଧ୍ୟମରେ ସୀମା ଖୋଲିବା ନେଇ କୌଣସି ଖବର ପ୍ରକାଶ ପାଇନାହିଁ।

Share