୩ ବର୍ଷ ପରେ କର୍ତ୍ତବ୍ୟପଥରେ ଓଡ଼ିଶା ପ୍ରଜ୍ଞାପନ ମେଢ଼

ଭୁବନେଶ୍ୱର,୩୧।୧୨(ଶର୍ମିଷ୍ଠା ପାଣିଗ୍ରାହୀ)ତିନିବର୍ଷ ଧରି ନିରାଶ ହେବା ପରେ ଏଥର ଓଡ଼ିଶାର ପ୍ରଜ୍ଞାପନ ମେଢକୁ ଦିଲ୍ଲୀ ଦରବାରରେ ଦେଖିବାକୁ ମିଳିବ। ସାରା ବିଶ୍ବ ଦେଖିବ ଓଡ଼ିଶା କଳାସଂସ୍କୃତିର ଝଲକ ଓ ମହାନ୍‌ ପରମ୍ପରାର ଐତିହ୍ୟ। ଶୁକ୍ରବାର ଦିଲ୍ଲୀଠାରେ ଅନୁଷ୍ଠିତ ୪ର୍ଥ ବୈଠକରୁ ଏଭଳି ସୂଚନା ମିଳିଛି। ଆସନ୍ତା ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ କର୍ତ୍ତବ୍ୟ ପଥରେ ହେବାକୁ ଥିବା ଜାତୀୟ ପରେଡ଼ରେ ଓଡ଼ିଶାର ମେଢ ସ୍ଥାନ ପାଇଛି। ତେବେ ବିକଶିତ ଭାରତ ଥିମ୍‌କୁ ନେଇ ଓଡ଼ିଶା ପକ୍ଷରୁ ୪ଟି ଡିଜାଇନ ଦିଆଯାଇଥିଲା। ଏଥିରେ ରଘୁରାଜପୁର ଗ୍ରାମର ଡିଜାଇନକୁ କେନ୍ଦ୍ର ମୋହର ମାରିଛି। ଏହାସହିତ ସମ୍ବଲପୁରୀ ନୃତ୍ୟକୁ ମଧ୍ୟ ଏଥିରେ ପରିବେଷଣ କରାଯିବ। ରଘୁରାଜପୁରର ଶିଳ୍ପୀମାନେ କିପରି ଅନାବଶ୍ୟକ ସାମଗ୍ରୀରୁ ବିଭିନ୍ନ କଳାକୃତି ପ୍ରସ୍ତୁତ କରି ବିକଶିତ ହୋଇଛନ୍ତି ଏବଂ ରଘୁରାଜପୁରର ଏହି କଳା କିଭଳି ବିକଶିତ ହୋଇ ସାରା ବିଶ୍ବରେ ଆଦୃତ ହୋଇପାରିଛି ତାହା ଏଥିରେ ଦର୍ଶାଯାଇଛି। ଶିଳ୍ପୀ ଗୁରୁ ଗଜେନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହାକୁ ପ୍ରସ୍ତୁତ କରିବେ ଶିଳ୍ପୀ କୀର୍ତ୍ତି କିଶୋର ମହାରଣା। ତେବେ ମେଢର ସମ୍ମୁଖ ଭାଗରେ କନ୍ଦର୍ପ ହାତୀର ପ୍ରତିକୃତି ରହିବା ସହିତ ପଛଭାଗରେ ରଘୁରାଜପୁର ଗାଁରେ କିଭଳି ନାରୀଶକ୍ତି କଳା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ତାହା ସ୍ଥାନ ପାଇବ। ମେଢ ସହିତ ସମ୍ବଲପୁରୀ ନୃତ୍ୟସଙ୍ଗୀତ ରହିବ। ଏଥିପାଇଁ ସମ୍ବଲପୁର ଟ୍ରାଇବାଲ ଆଣ୍ଡ୍‌ ଫୋକ୍‌ ଆର୍ଟ ଗ୍ରୁପ ମନୋନୀତ ହୋଇଛି। ଗୁରୁ ଆଲୋକ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ୧୦ଜଣ ଛାତ୍ରୀ ସେଠାରେ ନୃତ୍ୟ ପରିବେଷଣ କରିବେ। ୨୦୨୦ରେ ଶେଷଥର ପାଇଁ ପ୍ରଜ୍ଞାପନ ମେଢ଼ ଗଡିଥିଲା।

Share